ବାପାଙ୍କୁ ଖାଦ୍ୟ ଦେବାକୁ ଯାଇ ପୁଅର ମୃତ୍ୟୁ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଛକୁଟା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି । ମୃତକ ଜଣକ ଗ୍ରାମର ବିଜୟ ସାହୁଙ୍କ ପୁଅ ଲୋଟନ ସାହୁ ବୋଲି ଜଣାପଡିଛି ।
ବିଜୟ ଗାଁ ପାଖରେ ଥିବା ବିଲକୁ ହଳ କରିବାକୁ ଯାଇଥିବା ବେଳେ ପୁଅ ଲୋଟନ ସକାଳେ ବାପାଙ୍କ ପାଇଁ ଖାଇବା ଦେବାକୁ ଯାଇଥିଲେ । ବିଲ ହୁଡ଼ାରେ ବାପାଙ୍କୁ ଅପେକ୍ଷା କରିଥିବା ବେଳେ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ବଜ୍ରାଘାତରେ ଅଚେତ ହୋଇ ବିଲରେ ଟଳି ପଡ଼ିଥିଲେ ଲୋଟନ । ତୁରନ୍ତ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଛେଣ୍ଡିପଦା ପୁଲିସ ସୂଚନା ଦେଇଛି ।