ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଥିବା ଖବର ଆସିଥିଲା । ଏବେ ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଜେଲରୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଇମ୍ରାନ ଜେଲରେ ଅଛନ୍ତି ଏବଂ ସୁସ୍ଥ ଥିବା ଜେଲ ପକ୍ଷରୁ କୁହାଯାଇଛି । ରାଓ୍ୱଲପିଣ୍ଡି ଜେଲ ପକ୍ଷରୁ କୁହାଯାଇଛି ଯେ, ଅଦିୟାଲା ଜେଲରୁ ଇମ୍ରାନଙ୍କ ସ୍ଥାନାନ୍ତର ଖବରରେ କୌଣସି ସତ୍ୟତା ନାହିଁ । ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ସେହିପରି ଇମ୍ରାନଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ ଭଳି ସୁବିଧା ମିଳୁଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ କହିଛନ୍ତି ।

ସେପଟେ ପାକିସ୍ତାନର ଆଡିଆଲା ଜେଲ ବାହାରେ ବିଳମ୍ବିତ ରାତିର ଦେଖିବାକୁ ମିଳିଛି ହାଇଡ୍ରାମା । ଇମ୍ରାନ ଖାନଙ୍କ ପୁଅଙ୍କ ଏକ ପୋଷ୍ଟକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି । ଇମ୍ରାନ ଖାନଙ୍କ ପୁଅ କାସିମ ଖାନଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ଅନେକ ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଛି। ବ୍ରିଟେନରେ ରହୁଥିବା କାସିମ ଖାନ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଇମ୍ରାନ ଖାନଙ୍କୁ ଗତ ଛଅ ସପ୍ତାହ ଧରି ଏପରି ଏକ ସ୍ଥାନାରେ ରଖାଯାଇଛି, ଯେଉଁଠାକୁ ନାଁ କାହାକୁ ଯିବାକୁ ଅନୁମତି ଅଛି ନା ସେଠାରୁ କୌଣସି ଖବର ପରିବାର ଲୋକଙ୍କୁ ମିଳୁଛି ।

ସେ ଲେଖିଛନ୍ତି ଯେ, ତାଙ୍କ ପିତା ଜୀବିତ ଅଛନ୍ତି କି ନାହିଁ ସେ ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଏହି ବୟାନ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। କାସିମ ଏବଂ ତାଙ୍କ ଭାଇ ସାଧାରଣତଃ ରାଜନୀତିରୁ ଦୂରରେ ରୁହନ୍ତି, କିନ୍ତୁ ଏଥର ପରିସ୍ଥିତି ସେମାନଙ୍କୁ କହିବାକୁ ବାଧ୍ୟ କରିଛି। କାସିମ କହିଛନ୍ତି ଯେ, ଏହି ପରିସ୍ଥିତି କୌଣସି ସୁରକ୍ଷା ବ୍ୟବସ୍ଥା ନୁହେଁ, ବରଂ ତାଙ୍କ ବାପାଙ୍କୁ ଅଲଗା କରିବା ପାଇଁ ଏକ ସୁଚିନ୍ତିତ ଯୋଜନା। ସେ ଅଭିଯୋଗ କରିଛନ୍ତି ଯେ ଅନେକ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ଭଉଣୀମାନଙ୍କୁ ଜେଲରେ ପ୍ରବେଶ କରିବାକୁ ମନା କରାଯାଇଛି। ଓକିଲମାନଙ୍କୁ ମଧ୍ୟ ବୈଠକ ପାଇଁ ପ୍ରବେଶ କରିବାକୁ ମନା କରାଯାଇଛି, ଯାହା ମାମଲାକୁ ଘେରି ରହିଥିବା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। ଇମ୍ରାନ ଖାନଙ୍କ ପ୍ରକୃତ ସ୍ଥିତି ପ୍ରକାଶ କରିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବା ପାଇଁ କାସିମ ଜାତିସଂଘ, ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏବଂ ବିଶ୍ୱର ଗଣତାନ୍ତ୍ରିକ ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଯଦି ଇମ୍ରାନ ଖାନଙ୍କ ସହିତ କିଛି ଅପ୍ରୀତିକର ଘଟଣା ଘଟେ, ତେବେ ପାକିସ୍ତାନ ସରକାର ସିଧାସଳଖ ଦାୟୀ ରହିବେ।