ପହଲଗାମ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ ଜାରି

ଜମ୍ମୁ-କଶ୍ମୀର-: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅଛନ୍ତି । ତେବେ ବର୍ତ୍ତମାନ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି । ସ୍କେଚ ସହ ନାଁ ମଧ୍ୟ ସାମନାକୁ ଆସିଛି । ସେହି ୩ ଆତଙ୍କବାଦୀଙ୍କ ନାଁ ହେଲା ଅସିଫ୍ ଫୌଜି, ଅବୁ ତଲ୍ଲା, ସୁଲେମାନ ସା’ର । ଆକ୍ରମଣର ଶିକାର ହୋଇଥିବା ଜଣେ  ପୀଡିତଙ୍କ ସହ କଥା ହୋଇ ଏହି ସ୍କେଚ୍ ଗୁଡ଼ିକ ପ୍ରସ୍ତୁତ କରାଯାଇଛି ।

ମଙ୍ଗଳବାର ଅପରାହ୍ନରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ ଏବଂ ପରେ ଗୁଳି କରିଥିଲେ । ଆକ୍ରମଣ ପରେ ଆତଙ୍କବାଦୀମାନେ ପ୍ରସ୍ଥାନ ଯୋଜନା ମଧ୍ୟ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମରେ ଆକ୍ରମଣ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ସହିତ ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟପକ୍ଷରେ, ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଅନିଲ ଚୌହାନ ଏବଂ ଏନଏସଏ ଅଜିତ ଡୋଭାଲ ଅଂଶଗ୍ରହଣ କରୁଛନ୍ତି ।