ବଲାଙ୍ଗୀର(ରିପୋର୍ଟର୍ସ ଟୁଡେ): ଦିଅରର ଛୁରାମାଡରେ ପ୍ରାଣ ହରାଇଛି ଭାଉଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଧୀନ ସାହାଜପାଣି ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଗାଁର କ୍ଷୀର ମେହେରଙ୍କ ପତ୍ନୀ ସୂର୍ଯ୍ୟକାନ୍ତିଙ୍କ ଉପରକୁ ଛୁରିରେ ଆକ୍ରମଣ କରିଥିଲେ ଦିଅର ଅନୀଲ । ତେବେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ ମେଡିକାଲକୁ ନେଉଥିବା ବେଳେ ବାଟରେ ସେ ପ୍ରାଣ ହରାଇଥିଲେ । ସେପଟେ ଆକ୍ରମଣ ପରେ ଅଭିଯୁକ୍ତ ଅନୀଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ଲାଠୋର ତାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏଯାବତ ଆକ୍ରମଣର କାରଣ ସ୍ପଷ୍ଟ ହୋଇପାରିନାହିଁ ।