ଆଜି ପୁଣି ବାଜିବ ସାଇରନ : ପାକିସ୍ତାନ ସୀମା ନିକଟବର୍ତ୍ତୀ ରାଜ୍ୟରେ ସିଭିଲ ଡିଫେନ୍ସ ମକ ଡ୍ରିଲ 

ନୂଆ ଦିଲ୍ଲୀ:  ଆଜି ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଭାରତ ସରକାର ଆଜି, ପାକିସ୍ତାନ ସୀମା ନିକଟବର୍ତ୍ତୀ ପାଞ୍ଚଟି ରାଜ୍ୟରେ ଏକ ବଡ଼ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛନ୍ତି। ଏହି ଅଭ୍ୟାସ, ଯାହାର ନାମ “ଅପରେସନ ଶିଲ୍ଡ”, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ଗୁଜୁରାଟ, ହରିୟାଣା ଏବଂ ରାଜସ୍ଥାନରେ ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶତ୍ରୁ ବିମାନ, ଡ୍ରୋନ ଏବଂ ମିସାଇଲ ଆକ୍ରମଣ ଭଳି ସମ୍ଭାବ୍ୟ ବିପଦରୁ ସୁରକ୍ଷା ପାଇଁ ପ୍ରସ୍ତୁତିକୁ ମଜବୁତ କରିବା।ଏହାକୁ ନେଇ ପାକିସ୍ତାନ ଭୟଭୀତ ହୋଇପଡିଛି । ତେଣୁ ମକ୍ ଡ୍ରିଲ ପୂର୍ବରୁ ପାକିସ୍ତାନୀ ସେନା ଯୁଦ୍ଧ ହେବ ବୋଲି ଭାବି ବର୍ଡରରେ ସଜାଗ ରହିଛି ।

ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ ରେ କରିବାକୁ ନିଷ୍ପତ୍ତି ହୋଇଥିଲା ।