ସ୍ଵରାଷ୍ଟ୍ର ଫେରିଲେ ଭାରତର ସୁନାପୁଅ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ନୂଆଦିଲ୍ଲୀ: ସ୍ଵରାଷ୍ଟ୍ର ଫେରିଲେ ଭାରତର ସୁନାପୁଅ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ନାସାର ଆକ୍ସିଅମ୍-୪ ମହାକାଶ ମିସନର ପାଇଲଟ୍ ତଥା ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ଶୁଭାଂଶୁ ଶୁକ୍ଲା । ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ବିମାନ ବନ୍ଦରରେ ତାଙ୍କ ପତ୍ନୀ ଓ ପୁଅଙ୍କ ସହିତ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଇସ୍ରୋ ମୁଖ୍ୟ ଭି. ନାରାୟଣନ ଉପସ୍ଥିତ ଥିଲେ ।

ତେବେ ଆସନ୍ତା ୨୩ ଇସ୍ରୋର ମହାକାଶ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ଶୁଭାଂଶୁ ଶୁକ୍ଳା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶୁଭାଂଶୁ ଶୁକ୍ଳା୍ ଗତ ୧ ବର୍ଷ ହେଲା ଆମେରିକାରେ ରହି ଏକ୍ସିଅମ-୪ ମିସନ ଟ୍ରେନିଂ ନେଉଥିଲେ। ୨୫ଜୁନ ୨୦୨୫ରେ ଫ୍ଲୋରିଡାରୁ ସ୍ପେସ୍ ଏକ୍ସ ଡ୍ରାଗନ କ୍ୟାପସୁଲରେ ଯାତ୍ରା କରି ଜୁନ ୨୬ ତାରିଖ ଦିନ ଆଇଏସଏସ୍ ରେ ପହଞ୍ଚିଥିଲେ। ଶୁକ୍ଲାଙ୍କ ସହିତ ଆମେରିକୀୟ ମହାକାଶଯାତ୍ରୀ ପେଗୀ ହ୍ୱିଟସନ, ପୋଲାଣ୍ଡର ସ୍ଲାଭୋସ ଉଜ୍ନାଂସ୍କି-ଭିସ୍ତ୍ରିଭସ୍କି ଓ ହଙ୍ଗେରୀର ଟିବର କାପୁଙ୍କ ସହିତ ଆଇଏସଏସରେ ବୈଜ୍ଞାନିକ ପ୍ରୟୋଗ ଓ ଶୈକ୍ଷିକ ଗତିବିଦ୍ଧିକୁ ସଫଳ କରିଥିଲେ। ଜୁଲାଇ ୧୫ରେ ମିସନ ସମାପ୍ତି ପରେ ସେ ପୁଣି ପୃଥିବୀକୁ ଫେରି ଆସିଥିଲେ।