ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍, ଉପକୃତ ହେବେ କୋଟି କୋଟି ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍ । VB-G-RAM G ବିଲ୍ ଆଗତ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା, ହୋହଲ୍ଲା ମଧ୍ୟରେ ବିଲ୍ ଆଗତ । ସେପଟେ କଡ଼ା ନିଶାନା କଲେ ସାଂସଦ ପ୍ରିୟଙ୍କା ଗାନ୍ଧି । କହିଲେ ଏଥିରେ ବୈପ୍ଳବିକ ପଦକ୍ଷେପ ଥିଲା, ଶହେ ଦିନର ନିଶ୍ଚିତ ରୋଜଗାର ମିଳୁଥିଲା । ୨୦୦୫ରେ ତତ୍କାଳୀନ ୟୁପିଏ ସରକାର MGNREGA ଯୋଜନା ଆଣିଥିଲେ । ଏଥିରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ପାଇଁ ଗ୍ୟାରେଣ୍ଟି ଦିଆଯାଇଥିଲା । ଏହା ୨୦ ବର୍ଷ ଧରି ଚାଲିଛି ।

ତେବେ ନୂଆ ବିଲ୍ VB G RAM Gରେ ୧୦୦ ଦିନ କାମ ବଦଳରେ ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି ଦିଆଯିବାକୁ ପ୍ରସ୍ତାବ ରହିଛି । କାମ ସରିବାର ସପ୍ତାହେ କିମ୍ବା ୧୫ ଦିନ ଭିତରେ ଶ୍ରମିକଙ୍କୁ ମଜୁରି ଦିଆଯିବ। ଯଦି ମଜୁରି ଡେଡଲାଇନ ଭିତରେ ଦିଆଯାଇପାରିବ ନାହିଁ ତେବେ ସଂପୃକ୍ତ ଶ୍ରମିକଙ୍କୁ ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ ରହିଛି । ଏହି ନୂଆ ସ୍କିମରେ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପୁନଃ ନିର୍ମାଣ । ତେବେ ଚାଷବାସ ଅମଳ ସମୟରେ ଗ୍ରାମୀଣ ଆଞ୍ଚଳରେ ଲୋକେ ବ୍ୟସ୍ତ ଥିବା ବେଳେ ଏହି VB G RAM G ସ୍କିମର କାର୍ଯ୍ୟ ଲାଗୁ ହେବ ନାହିଁ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଗ୍ରାମୀଣ ଭାରତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣତା ଆଧାରିତ କାର୍ଯ୍ୟକାରିତା; ଗ୍ରାମୀଣ ସଂଯୋଗୀକରଣ, ଗୃହ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତୀକରଣର ପ୍ରସାର; ଉନ୍ନତ ଡିଜିଟାଲ ସୁବିଧା ସହିତ ଗଭୀର ଆର୍ଥିକ ଅନ୍ତର୍ଭୁକ୍ତିକରଣ; ଗ୍ରାମୀଣ ଶ୍ରମଶକ୍ତିର ବିବିଧତା; ଏବଂ ଉନ୍ନତ ଆୟ, ଉତ୍ପାଦକ ଭିତ୍ତିଭୂମି ଓ ଅଧିକ ଜଳବାୟୁ ସ୍ଥିରତା ଭଳି ବର୍ଦ୍ଧିତ ଆକାଂକ୍ଷା ଏହି ପରିବର୍ତ୍ତନରେ ଅନ୍ତର୍ଭୁକ୍ତ। ସବୁ ପରିବର୍ତ୍ତନଗୁଡ଼ିକ ପାଇଁ ଏକ ପୁନଃସନ୍ତୁଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି ଯାହା ପରିବର୍ତ୍ତିତ ଆକାଂକ୍ଷା ସହିତ ଖାପ ଖୁଆଉଥିବ, ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରୁଥିବ ଏବଂ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ଯୋଜନା ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟକୁ ସୁନିଶ୍ଚିତ କରୁଥିବ। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ପରିପୂରକ ସରକାରୀ ଯୋଜନାକୁ ନେଇ ଏକ ସମ୍ପୂର୍ଣ୍ଣ ସରକାରୀ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ନିମନ୍ତେ ଦୃଢ଼ ସମନ୍ୱୟ ଆବଶ୍ୟକ। ଗ୍ରାମୀଣ ଭିତ୍ତିଭୂମି ବିକାଶ ବିଭାଜିତ ଭାବରେ ନୁହେଁ, ବରଂ ଏକ ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ କାର୍ଯ୍ୟକାରୀ ହେବା ଉଚିତ୍‌ । ଦେଶର ସମସ୍ତ ଗ୍ରାମୀଣ କ୍ଷେତ୍ରରେ ଅସମାନତା ହ୍ରାସ କରିବା ଏବଂ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବସ୍ତୁନିଷ୍ଠ ମାପଦଣ୍ଡକୁ ଆଧାର କରି ସମନ୍ୱିତ ସମ୍ବଳ ବିତରଣ ଅତ୍ୟନ୍ତ ଜରୁରୀ।

ଜାତୀୟ ବିକାଶର ଅଗ୍ରଗତି ସହିତ, ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ସମୟକ୍ରମେ ସମୀକ୍ଷା କରାଯିବା ଆବଶ୍ୟକ । ଫଳରେ ଏହା ଉଦୀୟମାନ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ସମନ୍ୱିତ ରହିବ। ଆଜିର ବ୍ୟାପକ ପରିବର୍ତ୍ତିତ ପରିସ୍ଥିତିରେ, 2047 ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟ ଅତ୍ୟାବଶ୍ୟକ। ଏହି କ୍ରମରେ ବିକାଶ କାର୍ଯ୍ୟର ପରିସର ବୃଦ୍ଧି ପାଇବା ଦ୍ୱାରା ଗ୍ରାମୀଣ ପରିବାର ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ତେଣୁ, ଦୃଢ଼ ଜୀବିକା ଗ୍ୟାରେଣ୍ଟି ମାଧ୍ୟମରେ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଗ୍ରାମୀଣ ଶ୍ରମଶକ୍ତିକୁ ଅଧିକ ପ୍ରଭାବଶାଳୀ ଭାବରେ ନିୟୋଜିତ କରିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ, ଗ୍ରାମୀଣ ସମ୍ପତ୍ତି ସୃଷ୍ଟିକୁ ସୁଦୃଢ଼ କରିବା ଲାଗି ସରକାର ଏକ ଉପଯୁକ୍ତ ଆଇନ ମାଧ୍ୟମରେ ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାର ପାଇଁ ମଜୁରୀ ନିଯୁକ୍ତି ଗ୍ୟାରେଣ୍ଟିକୁ 100 ଦିନରୁ 125 ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।