ଟାଙ୍ଗି /ରାକେଶ କୁମାର ଜଗଦେବ : ଓଡିଶା ର ପାଲା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅଣ୍ଟା ଭିଡ଼ିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ର ଶ୍ରୀ ନୀଳକଣ୍ଠେଶ୍ଵର ଦେବ ପାଲା କର୍ମୀ ସଂସଦ । ପାଲା କର୍ମୀ ସଂସଦ ପକ୍ଷରୁ ଚଣ୍ଡେଶ୍ୱର ସ୍ଥିତ ଶ୍ରୀ ଚଣ୍ଡୀହର ଦେବ ମନ୍ଦିର ପରିସରରେ 35 ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା କୈବର୍ତ୍ତ ମହାସଭାର ସାଧାରଣ ସମ୍ପାଦକ ଅତିଥି ଭାବେ ଯୋଗଦେଇ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ସମ୍ମିଳନୀରେ ଗାୟକ ରମେଶ ଚନ୍ଦ୍ର ପାତ୍ର, ମନ୍ମଥ ମାନସିଂ, ସୁଦର୍ଶନ ମହାପାତ୍ର ସଂସଦ ସଭାପତି ବିଜୟ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ଚଣ୍ଡେଶ୍ୱର ଦେବଙ୍କର ଅଭିଷେକ, ରାମାର୍ଜନା, କର୍ମୀ ସମାବେଶ, ସଂକୀର୍ତନ ଓ ଦାଶ କାଠିଆ ପରିବେଷଣ, ସାଙ୍ଗଠନିକ ଆଲୋଚନା, ସଂସଦୀୟ ଗୁରୁ ପୂଜା, ଗୁରୁ ପୂଜା ଜୟନ୍ତୀ, ଓ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହା ସହ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦକ୍ଷ ପାଲା କଳାକାର ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଶେଷରେ ଆୟୋଜକ ସଂସଦ ପକ୍ଷରୁ ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପାଲା ଗାୟକ, ବାୟକ, ପାଳିଆ ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ରାଜ୍ୟ ସରକାର ଓଡିଶା ର ପାଲା ସଂସ୍କୃତି କୁ ବଞଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅତିଥି ମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।