କାରଣ ଦର୍ଶାଅ ନୋଟିସର ଉତ୍ତର ରଖି ଦେଲେ ଚେତାବନୀ

ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବଜେଡି ପକ୍ଷରୁ ୬ ବିଧାୟକଙ୍କୁ ଜାରି କରାଯାଇଥିଲା କାରଣ ଦର୍ଶାଅ ନୋଟିସ ।ତେବେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ। କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍‌ କାମ କରେ ନାହିଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଆମେ ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଘଂନ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ । ତେଣୁ ଏହି କ୍ଷେତ୍ରରେ ବିଜେଡି ହୁଇପ୍‌ ଜାରି କରିବା ବେଆଇନ ଅଟେ । ତେଣୁ ଯଥା ଶୀଘ୍ର କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର କରଯାଉ ନଚେତ କୋର୍ଟ‌ର ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

Cross-voting in RS polls: Show-cause notices issued, but when will...

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଦଳର ହ୍ବିପ୍ ନ ମାନି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଏହାକୁ ନେଇ ଦଳ ଭିତରେ ଝଡ଼ ସୃଷ୍ଟି ହୋଇଛି । ବିଜେଡି ଗତ ୧୭ ତାରିଖ ଦିନ କାରଣ ଦର୍ଶାଅ ନୋଟିସ୍ ଜାରି କରି ଉତ୍ତର ରଖିବାକୁ ତିନି ଦିନ ସମୟ ଦେଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏଥିରେ ସେ ଦର୍ଶାଇଛନ୍ତି, ଆପଣ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନ ବେଳେ ଆପଣ ଦଳର ଶୃଙ୍ଖଳା ଭାଙ୍ଗିଛନ୍ତି ଓ ଦଳର ବିଶ୍ବାସକୁ ଧୋକ୍କା ଦେଇଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଅମାନ୍ୟ କରି ବିଜେଡି ସମର୍ଥନ କରୁ ନଥିବା ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଆପଣଙ୍କ କାର୍ଯ୍ୟଧାରାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆପଣ ବିଜେଡିର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ୁଛନ୍ତି । ତେଣୁ ତିନି ଦିନ ଭିତରେ ଅର୍ଥାତ ୨୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆପଣ ନିଜର ମତ ରଖିବେ । ଆପଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅର୍ଥାତ୍‌ ଦଳରୁ ନିଲମ୍ବନ କାହିଁକି କରାଯିବନି ? ଆପଣ ବିଜେଡିର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବା ପରି କାର୍ଯ୍ୟ କରିଥିବାରୁ ଆପଣଙ୍କ ବିରୋଧରେ କାହିଁକି ଆଇନଗତ ଓ ସାମ୍ବିଧାନିକ ପଦକ୍ଷେପ ନିଆଯିବ ନାହିଁ ? ଯଦି ସମୟସୀମା ଭିତରେ ନୋଟିସ୍‌ର  ଉତ୍ତର ନ ମିଳେ, ତେବେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ । ୬ ବିଧାୟକଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ନବୀନ ନିବାସରେ ଚର୍ଚ୍ଚା ହୋଇଥିଲା । ତୁରନ୍ତ ନିଲମ୍ବନ କିମ୍ବା ବହିଷ୍କାର ପାଇଁ କିଛି ନେତା ମତ ଦେଇଥିଲେ । କିନ୍ତୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଭିନ୍ନ ଦିଗରୁ ତର୍ଜମା କରିବାକୁ ଆଉ କିଛି ନେତା ପ୍ରସ୍ତାବ ଦେଇଥିଲେ । କିଛି ବରିଷ୍ଠ ଆଇନଜୀବୀଙ୍କ ସହ ପରାମର୍ଶ କରାଯାଇଥିଲା । ଦଳର ସମ୍ବିଧାନକୁ ମଧ୍ୟ ସମୀକ୍ଷା କରାଯାଇଥିଲା । ଶେଷରେ ୬ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦଳ କୋର୍ଟକୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେଥି ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସ୍ବରୂପ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିଷ୍ପତ୍ତି ହୋଇଥିଲା ।