ମୟୂରଭଞ୍ଜ-: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ଏହା ରାଜ୍ୟର ଦ୍ୱିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ ।
ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହାର କୋର ଓ ବଫର ଅଞ୍ଚଳରେ ବହୁ ଗ୍ରାମ, ଜମିବାଡ଼ି ଆଦି ରହିଥିଲା। ସେହି ଗ୍ରାମରେ ଲୋକମାନେ ବହୁ ବର୍ଷ ଧରି ଚାଷବାସ କରି ବସବାସ କରିଆସୁଥିଲେ ଏବଂ ବହୁ ଘରୋଇ ଜମିଥିଲା। ସେହିପରି ଶିମିଳିପାଳ ଜଙ୍ଗଲ ଉପରେ ସ୍ଥାନୀୟ ବନବାସୀଙ୍କ ଅଧିକାର ଥିଲା। ସରକାରଙ୍କୁ ସେମାନଙ୍କୁ ସମସ୍ତ ପ୍ରକାରର କ୍ଷତିପୂରଣ ପ୍ରଦାନ କରିବା ସହ ଅନ୍ୟଜଙ୍ଗଲ ଅଞ୍ଚଳରୁ ବାହାର କରି ଅନ୍ୟ ଅଞ୍ଚଳରେ ଥଇଥାନ କରିଛନ୍ତି। ସେହିପରି ଲୋକଙ୍କ ସବୁ ଅଧିକାର ପୂରଣ କରାଯାଇଛି। ଏଣୁ ଏବେ ଏହି ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ହୋଇଛି। ଏହା ଦ୍ୱାରା ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ଏବଂ ଏହା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ହୋଇ ପାରିବା ସହ ବନ୍ୟପ୍ରାଣୀ, ଜଙ୍ଗଲ ଓ ତଥା ପରିବେଶର ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଉଛି।
ଉକ୍ତ ଅଞ୍ଚଳର ଯେକୌଣସି ଜମି ସମ୍ପର୍କରେ କରାଯାଇଥିବା ସମସ୍ତ ଦାବି ରାଜ୍ୟ ସରକାରଙ୍କ ଦ୍ୱାରା ନିଷ୍କାସନ କରାଯାଇଛି ଏବଂ ଜାତୀୟ ଉଦ୍ୟାନ ମଧ୍ୟରେ ଅନ୍ତର୍ଭୁକ୍ତ ଜମି ସମ୍ପର୍କରେ ସମସ୍ତ ଅଧିକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହୋଇଛି। ଉକ୍ତ ଆଇନର ଧାରା ୩୫ର ଉପ-ଧାରା (୪) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ରାଜ୍ୟ ସରକାର କହିଛନ୍ତି ଯେ ସୂଚୀରେ ବର୍ଣ୍ଣିତ ଅଞ୍ଚଳ ଜାତୀୟ ଉଦ୍ୟାନ ମଧ୍ୟରେ ଅନ୍ତର୍ଭୁକ୍ତ ହେବ।