ଏସଏଚଜି ମହିଳାଙ୍କୁ ଦିଆଯିବ ଲାଇନ ମ୍ୟାନ ଟ୍ରେନିଂ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ । ଆସନ୍ତା ୧୨ମାସ ମଧ୍ୟରେ ଏହି ଫେଡରେସନ ଗଠନ ହେବ। ଏହା ଜରିଆରେ ରାଜ୍ୟସ୍ତରୀୟ ଡିସିସନ୍‌ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।

ମିଶନ ଶକ୍ତି ସଚିବଙ୍କ କହିବା ଅନୁଯାୟୀ, ୬୮୦୦ କୋଟି ଋଣ ମହିଳାଙ୍କ ନିକଟକୁ ଯାଇଛି । ଏବର୍ଷ ୯ ହଜାର କୋଟି ପାଇଁ ଯୋଜନା କରାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ସେହିଭଳି ୩ ବର୍ଷ ମଧ୍ୟରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର ଯେଉଁଥିରେ କର୍ମଯୋଗୀ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଗୁଡିକ ବିକ୍ରି ହେବ ।

ଏଥି ସହିତ ବିଦେଶରେ ମଧ୍ୟ ବିକ୍ରି ହେବ ଓଡ଼ିଶାର ମହିଳାଙ୍କ ଦ୍ୱାରା ତିଆରି ହେଉଥିବା ଉତ୍ପାଦ। ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫ଶହ ମିଶନ ଶକ୍ତି କାଫେ। ଲାଇନ୍ ମ୍ୟାନ ହେବେ ମିଶନ ଶକ୍ତି ମହିଳା । ଅନ୍ୟପକ୍ଷେ, ଆସନ୍ତା ବର୍ଷ ଏସଏଚଜି ମହିଳାଙ୍କୁ ଲାଇନ ମ୍ୟାନ ଟ୍ରେନିଂ ମଧ୍ୟ ଦିଆଯିବା ସହ ବ୍ୟାକିଂ କରେସପଣ୍ଡେଣ୍ଟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବସିବା ଲାଗି ସ୍ଥାନ ଦିଆଯାଉ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।