ଚେନ୍ନାଇ ୧୪।୦୬: ଶଶିକଳାଙ୍କ ସହ କଥା ହେବା ନେତାମାନଙ୍କୁ ପଡିଲା ମହଙ୍ଗା। ଏଆଇଏଡିଏମକେ(ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମନ୍ନେତ୍ର କଡଗମ) ସୋମବାର ପାର୍ଟିର ୧୬ ପଦାଧିକାରୀଙ୍କୁ ଦଳରୁ ବହିଷ୍କାର କରିଛି। ଏହି ସବୁ ନେତା ପାର୍ଟିର ପୂର୍ବତନ ନେତା ଭିକେ ଶଶିକଳାଙ୍କ ସଂପର୍କରେ ଥିଲେ। ଏଆଇଏଡିଏମକେର ମୁଖପାତ୍ର ଭି ପୁଗାଝେନ୍ଦି ଏହାର ସୂଚନା ଦେଇ କହିଛନ୍ତି ଯେ, ୧୬ ନେତା ଦଳ ବିରୋଧୀ ଗତିବିଧିରେ ସାମିଲ ଥିବାରୁ ଦଳରୁ ସେମାନଙ୍କୁ ବହିଷ୍କାର କରାଯାଇଛି।
ପାର୍ଟି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏଆଇଏଡିଏମକେ ଶଶିକଳା ପାର୍ଟି କ୍ୟାଡର ସହ ହୋଇଥିବା ଫୋନ ବାର୍ତ୍ତାକୁ ଡ୍ରାମା ଦର୍ଶାଇଛି। ପାର୍ଟି କେବେ ମଧ୍ୟ ଗୋଟିଏ ପରିବାର ପାଇଁ ନିଜକୁ ବରବାଦ କରି ପାରିବ ନାହିଁ। ତେଣୁ ଶଶିକଳାଙ୍କ ସହ କଥାବାର୍ତ୍ତା ହୋଇଥିବା ପ୍ରତିଟି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢିଥିବା ଏଆଇଏଡିମକେ ପରାଜିତ ହୋଇଛି। ଡିଏମକେ ବିଜୟୀ ହୋଇ ସରକାର ଗଢିଛି। ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ।