ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶାମ୍ଭବୀ ପୁରସ୍କାର–୨୦୨୬ ପ୍ରଦାନ

Bhubaneswar: ୨୦୨୬ ବର୍ଷ ପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି। ସାମୁଦାୟିକ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଅପୂର୍ବ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଓ ସଂଗଠନଙ୍କୁ ଏହି ସମ୍ମାନ ଦିଆଯାଇଛି। ଓଡ଼ିଶାର ବୟନ ଶିଳ୍ପକୁ ସାମକାଳୀନ ବଜାର ସହ ସଂଯୋଜିତ କରିବା ଓ ଏହାର ଉନ୍ନତି ପାଇଁ ପ୍ରଭାବଶାଳୀ ଅବଦାନ ରଖିଥିବାରୁ ବରଗଡ଼ର ଡ଼କ୍ଟର ସସ୍ମିତା ମେହେକଙ୍କୁ ଜୁରୀ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମଧ୍ୟ ଦିଆଯାଇଛି।

ସେହିପରି କନ୍ଧମାଳ ଜିଲ୍ଲାର ଜିରିଦିଖିଆ ଗାଁର ଦୁଇ ଭଉଣୀ ଶର୍ମିଲତା ପ୍ରଧାନ ଓ ଯମୁନା ପ୍ରଧାନଙ୍କୁ ଫୁଟବଲ ମାଧ୍ୟମରେ ସ୍ଥାନୀୟ ଝିଅମାନଙ୍କୁ ସଶକ୍ତ କରିବା ସହ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରିଥିବା ପାଇଁ ଶାମ୍ଭବୀ ଯୁବ ଆଇକନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ସହିତ ଦୁଇଟି ସଂଗଠନ—ସାଥୀ ପରିବାର ଏବଂ ବଲାଙ୍ଗୀର ଗ୍ରାମ୍ୟ ଉଦ୍ୟୋଗ ସମିତିଙ୍କୁ ମଧ୍ୟ ଶାମ୍ଭବୀ ପୁରସ୍କାର–୨୦୨୬ରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକ ସଂଗଠନକୁ ୫ ଲକ୍ଷ ଟଙ୍କା ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

ଫାଉଣ୍ଡେସନର ପ୍ରତିଷ୍ଠାତା ଶେଫାଳୀ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ମାଜିକ ବସ୍‌ ଇଣ୍ଡିଆ ଫାଉଣ୍ଡେସନର ସିଇଓ ଜୟନ୍ତ ରିସୋହି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭବିଷ୍ୟତରେ ମେଣ୍ଟାଲ୍ ହେଲ୍ଥ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଗତ ୧୫ ବର୍ଷ ଧରି ଫାଉଣ୍ଡେସନ ଓଡ଼ିଶାର ୬ଟି ଜିଲ୍ଲାରେ ସାମୁଦାୟିକ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଏହା ୬୯୦ଟି ଗାଁକୁ ପହଞ୍ଚିଥିବା ସହ ସମୁଦାୟ ନେତୃତ୍ୱଧୀନ ବିକାଶ ମାଧ୍ୟମରେ ୨.୭ ମିଲିୟନ୍‌ରୁ ଅଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି। ଏହି ମାଇଲଷ୍ଟୋନକୁ ସ୍ମରଣୀୟ କରିବା ପାଇଁ ଫାଉଣ୍ଡେସନର ଯାତ୍ରା ଉପରେ ପ୍ରସ୍ତୁତ ଏକ କଫି ଟେବୁଲ ବୁକ୍‌କୁ ମଧ୍ୟ ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।