ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ, ବ୍ରିଟେନରେ ଚାଲିଛି ଚିକିତ୍ସା

0

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ଆହତ। ମୁମ୍ବାଇରେ ଫିଲ୍ମ ‘କିଙ୍ଗ’ର ଏକ ଆକ୍ସନ ଦୃଶ୍ୟ ସୁଟିଂ ସମୟରେ ଶାହରୁଖ ଖାନ ଆହତ ହୋଇଛନ୍ତି । ତାଙ୍କ ପିଠିରେ ଆଘାତ ଲାଗିଛି। ଏହି ଆଘାତ ଗୁରୁତର ନୁହେଁ ଏବଂ ଅଭିନେତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଶାହରୁଖ ଖାନ ବର୍ତ୍ତମାନ ମୁମ୍ବାଇରେ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’ର ସୁଟିଂରେ ବ୍ୟସ୍ତ ଥିଲେ। ସେ ଏହି ଫିଲ୍ମର ଆକ୍ସନ ସିନ୍ ସୁଟିଂ କରୁଥିଲେ। ଏହି ସମୟରେ ତାଙ୍କ ଅଣ୍ଠା ଓ ପିଠିରେ ଆଘାତ ଲାଗିଛି। ଶାହରୁଖ ଶୁଟିଂ ସେଟରେ ଆହତ ହୋଇଥିଲେ ହେଁ ଏହା ଆଦୌ ଗୁରୁତର ନୁହେଁ। ଆହତ ହେବା ପରେ ଶାହରୁଖ ଆମେରିକା ଚାଲି ଯାଇଥିଲେ। ଏହାପରେ ସେ ବ୍ରିଟେନ ଯାଇଛନ୍ତି। କିଛି ଦିନ ପୂର୍ବରୁ ଏପରି ଘଟଣା ଘଟିଥିଲା। ଏବେ ଶାହରୁଖ ଧୀରେଧୀରେ ବ୍ୟାକ ଇଞ୍ଜୁରୀରୁ ମୁକୁଳିବା ଆରମ୍ଭ କରିଛନ୍ତି। ଶାହରୁଖ ବ୍ରିଟେନରୁ ଶ୍ରୀଲଙ୍କା ଯିବାର ଥିଲା। ହେଲେ ଆହତ ସମସ୍ୟା ଯୋଗୁ ଏହି ଗସ୍ତକୁ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି।

ତେବେ, ଏହି ଘଟଣା ଚଳଚ୍ଚିତ୍ର ସୁଟିଂକୁ ପ୍ରଭାବିତ କରିଛି ଏବଂ ସୁଟିଂ ବନ୍ଦ ରହିଛି। ଶାହରୁଖ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ହିଁ କିଙ୍ଗର ବାକି ଦୃଶ୍ୟର ଶୁଟିଂ ହେବ। ସେପ୍ଟେମ୍ବରରେ ସିନେମା ସୁଟିଂ ପୁଣି ଆରମ୍ଭ ହେବାର ଆଶା କରାଯାଉଛି । କହିରଖୁଛି ଯେ, ଆଗକୁ ଆସିବାକୁ ଯାଉଛି କିଙ୍ଗ୍ ଖାନଙ୍କ ‘କିଙ୍ଗ’ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଶାହାରୁଖଙ୍କ ଝିଅ ସୁହାନା ଖାନ ନଜର ଆସିବେ । ତାଙ୍କ ଛଡା ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଜୟଦୀପ ଅହଲାଓ୍ଵତ, ଅନିଲ କପୁର ଏବଂ ଅଭୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି।