ଜଳିଗଲା ସାତ ବଖରା ; ସର୍ବହରା ୪ ପରିବାର

ଅନୁଗୁଳ / ଜ୍ୟୋତିରଞ୍ଜନ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଗଣ୍ଡବେରଣା କୁମ୍ଭାର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି । କୁମ୍ଭାର ସାହିର କୁବେର ବେହେରା, ପ୍ରତାପ ବେହେରା, ଅକ୍ଷୟ ବେହେରା ଓ ସୁବର୍ଣ୍ଣ ବେହେରାଙ୍କ ସାତ ବଖରା ଘର ଜଳି ପୋଡି ପାଉଁଶ ହୋଇଯିବା ସହିତ ୪ ପରିବାର ବେଘର ହୋଇଯାଇଛନ୍ତି।

ସର୍ଟସର୍କ୍ରିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପ୍ରଥମେ କମରେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁଖବନ୍ଧୁ ଭୁତିଆ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଏନ୍‌ଟିପିସି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ପହଞ୍ଚିନଥିଲେ । କିନ୍ତୁ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭାଇବା କାର୍ୟ୍ୟ ଆରମ୍ଭ କରିଥିଲା ।

କିନ୍ତୁ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା। ନିଆଁ ସମ୍ପୂର୍ଣ୍ଣ ଆୟତକୁ ଆସିବା ବେଳକୁ ୭ ବଖରା ଘର ଜଳି ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀ ରୋହିତ ବେହେରା ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି । ପରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଅଗ୍ନି ବିପନ୍ନଙ୍କ ପାଖକୁ ଆସି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପରି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଗଠନ ସଭାପତି ମନୋଜ ପ୍ରଧାନ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

କଣିହାଁ ରାଜସ୍ବ ନୀରିକ୍ଷକ ଇପ୍ସିତା ସାହୁ କ୍ଷୟକ୍ଷତିର ଆକଳନ କରି ବିପନ୍ନ ପରିବାରଙ୍କୁ ଜରି ପାଲ ପ୍ରଦାନ କରିଛନ୍ତି । ତେବେ ଅଗ୍ନିବିପନ୍ନ ଚାରି ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ଯୋଜନାରେ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।