ରାତି ପାହିଲେ ବିଶ୍ଵନୟନ୍ତାଙ୍କ ଘୋଷଯାତ୍ରା: ତିନିବାଡରୁ ଆସିଲା ଆଜ୍ଞାମାଳ

ପୁରୀ: ରାତି ପାହିଲେ ଚତୁର୍ଦ୍ଧା ମୂରତିଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେବେ ଆଜି ଆଜ୍ଞାମାଳବିଜେ ନୀତି ଅନୁଯାୟୀ, ମହାପ୍ରଭାଙ୍କ ଆଜ୍ଞାମାଳ ଆସି ତିନିରଥରେ ପହଞ୍ଚିଛି । ଏହାପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ସେପଟେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ଓ ଦରଜୀ ସେବାୟତ । ଏହାପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣିନେଇ ଉତ୍ତର ମୋଡ ଦେବେ ।ତେବେ ପ୍ରାୟ ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହେଉଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟାବସ୍ଥା କରିଛି ପ୍ରଶାସନ । ଗତକାଲି ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବାବେଳେ ଆଜି ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନ ପାଇଁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିଛି ।ଆଜି ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି।

ତେବେ ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକି କଡ଼ାକଡ଼ି କରାଯିବା ସହିତ ପୁଲିସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ତା’ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ସେପଟେ ତିନି ରଥର ସୁରକ୍ଷା ପାଇଁ ୩ଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି।