ଚାକିରିରୁ ବିଦା ହେଲେ ଆଇ.ଏ.ଏସ୍ ଅଫିସର ବିନୋଦ କୁମାର

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଆଜି ଚାକିରିରୁ ବିଦା ହୋଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି କରୁଥିବା ଅଭିଯୋଗ ଆସିଥିଲା । ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଅନ୍ୟପଟେ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରିଥିଲେ । ଯେଉଁଥିରେ ସେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ୱାରା ରାଜ୍ୟ ସରକାରଙ୍କର ବହୁ ପରିମାଣରେ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ବିନୋଦ କୁମାରଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍‌ ଦାୟର କରିଥିଲେ । ସେଥିମଧ୍ୟରୁ ଦୁଇଟି କେସରେ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ତାଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର ।