ଭୁବନେଶ୍ୱର: ବହୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଓଡିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀ ହେଲେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ । ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।
ସୂଚନା ଅନୁଯାୟୀ , ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। ସେହିପରି ବଲାଙ୍ଗୀରର ବିଧାୟକ କନକ ବର୍ଦ୍ଧନ ସିଂହ ଓ ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମାନେ ମଧ୍ୟ ଆସନ୍ତାକାଲି ଶପଥ ନେବେ। ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦୁଇ କେନ୍ଦ୍ର ପର୍ୟ୍ୟବେକ୍ଷ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ, ସମସ୍ତ ନବ ନିର୍ବାଚିତ ସାଂସଦଙ୍କ ସମେତ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ। ବୈଠକରେ ମୋହନ ମାଝୀଙ୍କୁ ବିଧାୟକ ଦଳ ନେତା କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ମୋହନ ମାଝୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।