ୱାକଫ ଭୋଟ ବିବାଦକୁ ନେଇ ନବୀନଙ୍କ ସହ ଆଲୋଚନା କରିବେ ବରିଷ୍ଠ ବିଜେଡି ନେତା

ବ୍ୟୁରୋ-

ୱାକଫ୍ ବିଲକୁ ନେଇ ବିଜେଡି ଏବେ ଫାଳ ଫାଳ । ନବୀନଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ଦଳର ସାଂସଦ । ୨ ଦିନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା ? ନିଷ୍ପତ୍ତି ପରିବର୍ତ୍ତନ ପଛରେ ଅଛି କାହାର ହାତ ? ସୁପ୍ରିମୋଙ୍କ ଜାଣତରେ ନିଷ୍ପତ୍ତି ବଦଳାଇଥିଲେ ନା ସାଂସଦଙ୍କ ଉପରେ ଥିଲା ଅଦୃଶ୍ୟ ଚାପ ?
ସଂସଦରେ ୱାକଫ ବିଲକୁ ନେଇ ବିଜେଡିର ବଦଳିଥିବା ଆଭିମୁଖ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା । ୱାକଫ ବିଲକୁ ଆରମ୍ଭରୁ ବିରୋଧ କରିଆସିଥିବା ବିଜେଡି ଅଘୋଷିତ ଭାବେ ସମର୍ଥନ ଜଣାଇଛି । ହୁଇପ ଜାରୀ ନକରି ବିବେକାନୁମୋଦିତ ଭୋଟିଂ କଥା ଦଳର ସାଂସଦ ସସ୍ମିତଙ୍କ ପୋଷ୍ଟକୁ ନେଇ ରାଜନୈତିକ ପୋଷ୍ଟମର୍ଟମ ଆରମ୍ଭ ହୋଇଛି । ୱାକଫ ବିଲ ଭୋଟିଂରେ ବିଜେଡି ସାଂସଦ ଦୁଇ ଫାଳ ନେଇ ଦଳର ବରିଷ୍ଠ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବରିଷ୍ଠ ବିଜେଡି ନେତା ଏ ବାବଦରେ କଡା ମନ୍ତବ୍ୟ ଦେବା ସହ ଦଳର ସଭାପତିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବିଜେଡିର ଏଭଳି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ନେତୃତ୍ୱ ବିହୀନ ବେଳେ ଏଭଳି ଘଟଣା ନଜରକୁ ଆସେ ବୋଲି ବିଜେପି ବିଧାୟକ କହିଛନ୍ତି ।
ଏନେଇ ବିଜେଡିର ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବିଜେଡି ଓ ବିଜେପି ଏକ ନୁହଁନ୍ତି । ବିଜେଡି ଏକ ସ୍ୱତନ୍ତ୍ର ରାଜନୈତିକ ଦଳ । ଆମେ ନିର୍ଦ୍ଧାରିତ ନୀତି ଅନୁସାରେ କାର୍ଯ୍ୟକ୍ରମ ଗ୍ରହଣ କରୁ । ପାର୍ଲିଆମେଣ୍ଟ ଅଧିବେଶନ ପୂର୍ବରୁ ବିଜେଡିର ସଂସଦୀୟ ଦଳ ବୈଠକ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୁଏ । ସଂସଦୀୟ ଅଧିବେଶନ ପୂର୍ବରୁ ଏହି ବୈଠକ ହୋଇଥିଲା । ସାଂସଦରେ ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରି ନିଷ୍ପତ୍ତି ନିଆଯାଏ । ଗତକାଲିର ପ୍ରସଙ୍ଗ ବାବଦରେ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ ନାଁହୁ । ସଂସଦୀୟ ଦଳ ନେତା ଏ ବାବଦରେ ଅବଗତ ଥିବେ । କିନ୍ତୁ ଏ ବାବଦରେ ବିଜେଡି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଆଜି ଆଲୋଚନା କରିବୁ । ଯେତେବେଳେ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଯେଉଁ ପ୍ରସଙ୍ଗ ଆସେ ଆମେ ବିରୋଧ କରୁ । ବିଜେଡି ହେଉଛି ଓଡ଼ିଶାର ଜନମାନସର ଦଳ । ଜନସାଧାରଣଙ୍କ ପ୍ରତିନିଧିତ୍ୱ ଆମେ କରୁଛୁ । ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ସେବା କରିବା ଲାଗି ଆମ ଦଳର ଜନ୍ମ । ୱାକଫ ବିଲକୁ ବିରୋଧ କରାଯିବ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା । କେଉଁ ପରିସ୍ଥିତିରେ ଏହା ପରିବର୍ତ୍ତନ ହେଲା ସେ ସମ୍ପର୍କରେ ଆମେ ଅବଗତ ନାଁହୁ ।”