ଓଡ଼ିଆ କୁନି ଝିଅର ଜନ୍ମମାଟି ପ୍ରତି ଚିନ୍ତା: ଲଣ୍ଡନରୁ ପଠେଇଲେ ସହାୟତା

(ଟୁକୁନା ଖରା/ ନବରଙ୍ଗପୁର): ଲଣ୍ଡନରେ ରହୁଥିଲେ ମଧ୍ୟ ଗୋଟିଏ କୁନି ଝିଅର ନିଜ ଜନ୍ମମାଟି ଓଡିଶା ପାଇଁ ଚିନ୍ତା । ନବରଙ୍ଗପୁର ସଦର ମହକୁମା ଇଛାବତୀଗୁଡା ନିବାସୀ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଝିଅ ଅଦ୍ଵିତୀ ପଟ୍ଟନାୟକ । ତା’ର ବୟସ ମାତ୍ର ୪ ବର୍ଷ । ଗତ ଜୁଲାଇ ୨୦ ତାରିଖରେ ଅଦ୍ୱିତୀ ତାଙ୍କର ବାପା ମାଆ ସାଙ୍ଗ ସାଥି ଗହଣରେ ଲଣ୍ଡନରେ ଜନ୍ମଦିନ ପାଳନ କରିଥିଲେ ଏବଂ ଜନ୍ମ ଦିନରେ ଯାହା ଉପହାର ଅର୍ଥ ଆକାରରେ ମିଳିଥିଲା ତାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଅଦ୍ଵିତୀଙ୍କ ଇଚ୍ଛା ଅନୁଯାୟୀ ଅଦ୍ଵିତୀଙ୍କ ଜେଜେବାପା ନିରଞ୍ଜନ ପଟ୍ଟନାୟକ ଦାଦା କାହ୍ନୁ ଚରଣ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୨୧୦୦୦/- ଟଙ୍କା ପ୍ରଦାନ କରିଥିଲେ । ଏହି ସମୟରେ ଲଣ୍ଡନରେ ରହୁଥିବା ଅଦ୍ଵିତୀଙ୍କ ସହିତ ଜିଲ୍ଲାପାଳ ଡ଼. ମିଶ୍ର ଫୋନ ଯୋଗେ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ଶୁଭ ଆଶିଷ କାମନା କରିଥିଲେ ।