ସୁବର୍ଣ୍ଣପୁର : ଗୋଟିଏ ଜାଗାରେ ବାହାଘର ସ୍ଥିର ହୋଇଥିଲା । ହେଲେ ଝିଅର ମନ ଆଉ କାହା ପାଖରେ ଥିଲା । ଘର ଲୋକ ଯେତେ ଚାପ ପକାଇଲେ ବି, ମନ ମାନି ନ ଥିଲା ଆୟୋଜିତ ବାହାଘର ପାଇଁ, ଇଛା ଥିଲା ଲଭ୍ ମ୍ୟାରେଜ୍ ପାଇଁ । କିନ୍ତୁ କଣ କରିବେ ଜାଣି ପାରୁ ନ ଥିଲା ଝିଅ । ଶେଷରେ ନିଜ ପ୍ରେମିକକୁ ଧରି ଥାନାକୁ ଗଲେ । ଥାନା ବାବୁଙ୍କୁ ନିଜ ପ୍ରେମ କାହାଣୀ କହିଲେ । ଆଉ ପ୍ରେମ କାହାଣୀ ଶୁଣି ଥାନା ବାବୁ ବାହା କରାଇ ଦେଲେ । ଏମିତି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ।
ଶେଷରେ ସବୁ ବାଦ ପ୍ରତିବାଦକୁ ପଛରେ ପକାଇ ବାହା ହୋଇଛନ୍ତି ପ୍ରେମୀ ଯୁଗଳ ଲିପସା ଓ ସୁଶୀଳ । ଘଟଣାଟି ଏମିତି । ବୀରମହାରାଜପୁର ଥାନା ଅଧୀନ ଗଉଡଗାଡ ଗାଁର ସୁଶୀଲ କୁମାର ସାହୁ ଓ ମୁର୍ଷୁଣ୍ଡି ଗାଁର ଲିପସା ସାହୁ ପରସ୍ପରକୁ ଗତ ୫ ହେବ ଭଲ ପାଇ ଆସୁଛନ୍ତି । ନିଜ ପ୍ରେମ ସଂପର୍କକୁ ବିବାହରେ ପରିଣତ କରିବା ପାଇଁ ଉଭୟ ମନସ୍ଥ କରିଥିଲେ । ହେଲେ ଏଥିରେ ପ୍ରତିବନ୍ଧକ ସାଜିଥିଲେ ଉଭୟଙ୍କ ପରିବାର । ଲିପସାଙ୍କ ପରିବାର ଜୋରଜବରଦସ୍ତ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ । ହେଲେ ଲିପସା ସୁଶୀଲଙ୍କ ବିବାହ କରିବାକୁ ଚାହୁଁଥିଲେ । ତାଙ୍କ ବାହାଘର ତାରଖ ପାଖେଇ ଆସୁଥିବାରୁ ସେ ବ୍ୟସ୍ତ ହୋଇ ପଡିଥିଲେ । କଣ କରିବେ କିଛି ଜାଣି ପାରୁ ନ ଥିଲେ ।
ଶେଷରେ ଲଭ୍ ବାର୍ଡ ଲିିପସା ଓ ସୁଶୀଲ ଉଭୟ ଥାନାରେ ପହଂଚିଥିଲେ । ନିଜ ପ୍ରେମ ବାବଦରେ ସମସ୍ତ କଥା ବ୍ୟଥା ଥାନା ଆଇଆଇସି ପଦ୍ମାସିନୀ ମେହେରଙ୍କୁ କହିଥିଲେ । ଏହା ଶୁଣି ଥାନା ବାବୁଆଣୀ ବହୁତ ଇମୋସନାଲ ହୋଇ ଯାଇଥିିଲେ । ମନ ଭିତରେ ଦୁହିଁଙ୍କ ପ୍ରତି ପ୍ରେମ ଓ ଦୟା ଜାତ ହେଲା , ତା ସହିତ ଆଇନ୍ ଅନୁସାରେ କାହା ଇଛା ବିରୋଧରେ ବୟସ୍କ ୟୁବକ ଯୁବତୀଙ୍କ ବିବାହ କରିବା ବେଆଇନ୍ ବି ଥିଲା । ଏ ସବୁ ଦେଖି ଥାନା ମ୍ୟାଡମ୍ ଉଭୟଙ୍କ ପରିବାରକୁ ଡାକି ବହୁତ ବୁଝାସୁଝା କରିଥିଲେ । ବହୁତ କଷ୍ଟରେ ପରିବାର ରାଜି ହୋଇଥିଲେ ।
ଶେଷରେ ସୋମବାର ଥାନା ପରିସରରେ ଉଭୟଙ୍କ ବେକରେ ପଡିଥିଲା ଫୁଲମାଳ । ଅତି ନିରାଡମ୍ବର ଭାବେ ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ହୋଇଥିଲା ବାହାଘର । ଆଉ ଛେଟିଆ ଭୋଜିଟେ । ହେଲେ ବିବାହ ହୋମ ହୋଇ ନ ଥିଲା, ଥାନା ଭିତରେ ଥିବା ଠାକୁରଙ୍କ ଫଟୋକୁ ମୁଣ୍ଡିଆ ମାରି ବରମାଳା ପିନ୍ଧି, ସିନ୍ଦୁର ଲଗାଇ ପରସ୍ପରକୁ ଜୀବନ ସାଥୀ ବାବେ ଗ୍ରହଣ କରିଥିଲେ ଉଭୟ ।