ସମୁଦ୍ର ଜଳରୁ ପ୍ରସ୍ତୁତ ହେବ ମଧୁର ଜଳ

(ପ୍ରଶାନ୍ତ କୁମାର ସ୍ୱାଇଁ) ପାରାଦୀପ : ଲବଣାକ୍ତ ସମୁଦ୍ର ଜଳରୁ ପ୍ରସ୍ତୁତ ହେବ ମଧୁର ଜଳ ତାହା ପୁଣି ବିଶୋଧିତ ହୋଇ ପାନୀୟ ଜଳରେ ପରିଣତ ହେବ । ସେହି ଜଳକୁ ଆମେମାନେ ସେବନ କରିବା ସହିତ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରିପାରିବା। ଏହି ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ପାରାଦୀପରେ ଏନେଇ ଖୁବ ଶୀଘ୍ର ଏକ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏହାକୁ ନେଇ ଆଜି ପାରାଦୀପ ବନ୍ଦର ନ୍ୟାସ ଓ ଚେନ୍ନାଇର ଏନଆଇଓଟି ମଧ୍ୟରେ ଏକ ଚୁକ୍ତାନାମା ସ୍ୱାକ୍ଷର ହୋଇଛି ।
ପାରାଦୀପ ବନ୍ଦର ଅଫିର୍ସ କ୍ଲବ୍ ଠାରେ ବନ୍ଦର ପକ୍ଷରୁ ମୁଖ୍ୟଯନ୍ତ୍ରୀ କେ.ରାମଚନ୍ଦ୍ର ରାଓ ଏବଂ ଏନ୍ଆଇଓଟିର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍ ସି. ରମଣ ମୂର୍ତ୍ତିଙ୍କ ମଧ୍ୟରେ ଏହାକୁ ନେଇ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଦୈନିକ ୧୦ମିଲିୟନ ଲିଟର ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ରକଳ୍ପ ପାଇଁ ବିନିଯୋଗ ହେବ ପ୍ରାୟ ୧୧୬କୋଟୀ ଟଙ୍କା ଏନେଇ ଚଳିତ ବର୍ଷ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ କାର୍ୟ୍ୟାଦେଶ ଦିଆଯିବ। ତେବେ ସମଗ୍ର ପାନୀୟ ଜଳ ପ୍ରସ୍ତୁତ କରିବା ଓ ଏହାର ରକ୍ଷଣା ବେକ୍ଷଣ ପାଇଁ ପ୍ରତି କିଲୋ ଲିଟର ପିଛା ପ୍ରାୟ ୪୧ଟଙ୍କା ୧୭ପଇସା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ଜଳ ପ୍ରସ୍ତୁତ ହେବା ପରେ ପ୍ରଥମେ ବନ୍ଦରାଞ୍ଚଳରେ ବିତରଣ କରାଯିବ ଓ ପରବର୍ତ୍ତୀ ସମୟରେ ଏହାକୁ ଆଖପାଖରେ ବିସ୍ତୃତ ଆକାରରେ ବଣ୍ଟନ କରାଯିବ ବୋଲି ଜଣାପଡିଛି। ତେବେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଭୂତଳ ଜଳ ହ୍ରାସ ଏବଂ ଖରାଦିନେ ନିଅଣ୍ଟିଆ ଜଳ ସମସ୍ୟାକୁ ଏହି ପ୍ରକଳ୍ପ ଅଚିରେ ସମାଧାନ କରିପାରିବ।