ନିଜ ଚେୟାରରେ ମାଆଙ୍କୁ ବସାଇ ଚର୍ଚ୍ଚାରେ ଏସଡିଏମ୍ ମାଡାମ୍

ବୁରୋ ରିପୋର୍ଟ: କଥାରେ ଅଛି ଚାଟ ଘର ପିଲା ଚାଟ ଭାଟ ଘର ପିଲା ଭାଟ । ଯାହା ପରିବାରର ଶିକ୍ଷା ଯେମିତି ସେହିଭଳି ପିଲାଙ୍କର ସଂସ୍କାର ମଧ୍ୟ ସେମିତି ହୋଇଥାଏ । ତେବେ ବିଶେଷ କରି ଚର୍ଚ୍ଚାର ବିଷୟ ସେତେବେଳେ ପାଲଟିଥାଏ ଯେତେବେଳେ କେହି ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷ ଯଦି ନିଜ ସଂସ୍କାର, ସ୍ୱାଭିମାନ ଓ ନ୍ୟାୟ ବାଟକୁ ଭୁଲି ନଥାନ୍ତି । ସମସ୍ତେ ଜାଣନ୍ତି କି ବଡ଼ ପରିବାରର ପିଲାମାନେ ଆଧୁନିକତାକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି ଯେଉଁଥିପାଇଁ ତାଙ୍କ ମଧ୍ୟରେ ସଂସ୍କାରର ଘୋର ଅଭାବ ଦେଖାଦେଇଥାଏ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ସାଧାରଣ କଥା ହୋଇଯାଇଛି । କିଏ ନିଜର ଭଲ କାମ ପାଇଁ ଭାଇରାଲ୍ ହେଉଛନ୍ତି ତ ପୁଣି କିଏ ନିଜ କର୍ମ ପାଇଁ ସମାଲୋଚିତ ହେଉଛନ୍ତି। କିଛି ଦିନ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲେ ଏସ୍ଡିଏମ୍ ଜ୍ୟୋତି ମୌର୍ୟ୍ୟ। ସେ ଆଇଏଏସ୍ ହେବା ପରେ ନିଜର ସଫେଇ କର୍ମୀ ସ୍ବାମୀଙ୍କୁ ଧୋକା ଦେଇଥିବା ନେଇ ତାଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ଆଜି କିଛି ଭଲ ଖବର ଶୁଣାଇବୁ ତେବେ ଆଜି ଆମେ ସେହିଭଳି ଜଣେ ବଡ଼ ଘର ଏବଂ ଉଚ୍ଚ ପଦସ୍ଥ ମହିଳାଙ୍କ ବିଷୟରେ କହିବୁ ଯିଏ ଜଣେ ଆଇଏଏସ୍ ଅଫିସର ହୋଇ ମଧ୍ୟ ନିଜ ମାନ ମର୍ଯ୍ୟାଦା, କର୍ତ୍ତବ୍ୟ ଓ ବାପା ମାଙ୍କ ପ୍ରତି ଥିବା ସେବା ମନୋଭାବ ଆଜି ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଆଇଏଏସ୍ ଅଧିକାରୀ ଜାଗ୍ରୁତି ଅଗସ୍ତି । ତାଙ୍କ ସଫଳତାର କାହାଣୀ ସଭିଙ୍କ ମନକୁ ଛୁଇଁଛି। ମଧ୍ୟପ୍ରଦେଶର ଭୋପାଳର ବାସିନ୍ଦା ଜାଗ୍ରୁତି ପିଲାଦିନରୁ କଲେକ୍ଟର ହେବାର ସ୍ୱପ୍ନ ଦେଖିଥିଲେ। ଆରମ୍ଭରୁ ଅଧ୍ୟୟନରେ ଟପ୍ପର ହୋଇଥିବା ଜାଗ୍ରତି ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ରେ କିଛି ବର୍ଷ କାମ କରିଥିଲେ, କିନ୍ତୁ ପରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ସିଭିଲ ସର୍ଭିସ ପାଇଁ ସେ ଏକ ଉତ୍ତମ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ କଠିନ ପରିଶ୍ରମ ହେତୁ ସେ ମାତ୍ର ୨ ବର୍ଷ ମଧ୍ୟରେ IAS ହେବାର ସ୍ୱପ୍ନକୁ ପୂରଣ କରିଥିଲେ । ଏବେ କିନ୍ତୁ ସେ ଚର୍ଚ୍ଚାରେ ଅଛନ୍ତି ନିଜ ମାଆ ପ୍ରତି ଥିବା ତାଙ୍କର ଅଗାଧ ଭଲପାଇବା କାରଣରୁ। ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଆଇଏଏସ ଜାଗ୍ରୁତିଙ୍କୁ ଏସ୍ଡିଏମ୍ ଭାବେ ନିଯୁକ୍ତି ମିଳିଛି। ନିକଟରେ ତାଙ୍କର ଏକ ଫଟୋ ଖୁବ୍ ଜୋର୍ରେ ଭାଇରାଲ୍ ହୋଇ ଚାଲିଛି। ଭାଇରାଲ୍ ଫଟୋରେ ତାଙ୍କ ମା’ ତାଙ୍କ ଚେୟାରରେ ବସିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି। ଲୋକସେବା ଆୟୋଗ ପରିଚଳିତ ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଜାଗ୍ରୁତି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ମହିଳାମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି।
ୟୁପିଏସ୍ସି ପରୀକ୍ଷାର ଦ୍ୱିତୀୟ ପ୍ରୟାସରେ ଜାଗ୍ରୁତି ସଫଳତା ହାସଲ କରିଛନ୍ତି। ସେ କହନ୍ତି କି ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ସେ ଟିଭି ଦେଖିବା ବନ୍ଦ କରିଦେଇଥିଲେ। ଜାଗ୍ରୁତି ଅଗସ୍ତି ମଧ୍ୟପ୍ରଦେଶର ବାସିନ୍ଦା, ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଜାଗ୍ରୁତି ୨୦୧୬ ମସିହାରେ ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍ରେ ସ୍ନାତକ ହାସଲ କରିଛନ୍ତି। ନିଜ ବାପାମାଆଙ୍କ ତ୍ୟାଗ ହିଁ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି ବୋଲି ସେ କହନ୍ତି। ଜାଗ୍ରୁତିଙ୍କ ପିତା ଜଣେ ହୋମିଓପାଥି ଡାକ୍ତର ହୋଇଥିବା ବେଳେ ମାଆ ଜଣେ ସ୍କୁଲ ଶିକ୍ଷକ।