ସିଦ୍ଦରମୈୟା ସରକାରଙ୍କୁ ସମାଲୋଚନା କରି ନିଲମ୍ବିତ ହେଲେ ସ୍କୁଲ ଶିକ୍ଷକ

ବେଙ୍ଗାଲୁରୁ: ନବଗଠିତ ସିଦ୍ଦରମୈୟା ସରକାରଙ୍କୁ ସମାଲୋଚନା କରି ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଚିତ୍ରଦୁର୍ଗର ହୋସଦୁର୍ଗସ୍ଥିତ କାନୁବେନ୍ନାହାଲ୍ଲି ସରକାରୀ ସ୍କୁଲ୍ରେ ଶିକ୍ଷକ ଥିବା ଶାନ୍ତମୂର୍ତ୍ତି ଏମ୍.ଜି. ରାଜ୍ୟ ସରକାର ଏବଂ ତା’ର ମାଗଣା ଉପହାରକୁ ସମାଲୋଚନା କରିଥିଲେ। ସେ ନିଜ ‘ଫେସ୍ବୁକ୍’ ପୋଷ୍ଟ୍ରେ କହିଥିଲେ, ମାଗଣା ଉପହାର ନ ଦେଇ ଆପଣ ଆଉ କ’ଣ ବା କରିପାରି ଥାଆନ୍ତେ। ଭିନ୍ନ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ହୋଇଥିବା ଋଣ ପରିମାଣ କଥା ମଧ୍ୟ ଏହି ସ୍କୁଲ୍ ଶିକ୍ଷକ ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଥିଲେ। ଫିଲ୍ଡ୍ ଏଜୁକେସନ୍ ଅଫିସର୍ ଏଲ୍. ଜୟାପ୍ପା ଶନିବାର ଦିନ ଉକ୍ତ ଶିକ୍ଷକଙ୍କ ନିଲମ୍ବନ ଆଦେଶ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି, ଶନିବାର ଦିନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଶପଥ ଗ୍ରହଣ କରୁଥିବା ବେଳେ ନିଲମ୍ବିତ ସ୍କୁଲ୍ ଶିକ୍ଷକ ଶାନ୍ତମୂର୍ତ୍ତି ପୂର୍ବତନ ସରକାରମାନଙ୍କ ସମୟରେ ହୋଇଥିବା ଋଣ ପରିମାଣ ଉଲ୍ଲେଖ କରି ସରକାରୀ ଚାକିରି ନିୟମ ଉଲ୍ଲଂଘନ କରିଛନ୍ତି।