୩୦% କମିପାରେ ଘରୋଇ ସ୍କୁଲଗୁଡିକର ଫି

(ରିପୋଟର୍ସ ଟୁଡେ, ଭୂବନେଶ୍ୱର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀୂଙ୍କ ସ୍କୁଲ ଫୀ ୩୦ ପ୍ରତିଶତ ଛାଡ ହୋଇପାରେ । ସ୍କୁଲ୍ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଗୁରୁବାର ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି। ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ପ୍ରତିଶତ ପର୍ୟ୍ୟନ୍ତ ଟ୍ୟୁସନ୍ ଫି’ କମାଇବା ଲାଗି ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଘରୋଇ ବିଦ୍ୟାଳୟ ସଂଘ, ଅଭିଭାବକ ମହାସଂଘ, ସରକାର ଓ ଶିକ୍ଷକ ସଂଘ ମଧ୍ୟରେ ଏଭଳି ସହମତି ପ୍ରକାଶ ପାଇଥିବା କୁହାଯାଉଛି। ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ସର୍ବାଧିକ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ସହମତି ହୋଇଛି ।
ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଭିଭାବକ ସଂଘ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଦାବି କରୁଥିବା ବେଳେ ଏହା ସମ୍ଭବ ନୁହେଁ ବୋଲି କହିଥିଲା ଘରୋଇ ସ୍କୁଲ ସଂଘ । ତେବେ ମିଳିଥିବା ସୂଚନା ଅନୁଯାୟୀ, ୩୦% ପର୍ଯ୍ୟନ୍ତ ଟିଉସନ ଫି ସହ ଅନ୍ୟ ଆନୁସଙ୍ଗିକ ଫି ଛାଡ ହୋଇପାରେ । ଏନେଇ ସହମତି ପ୍ରକାଶ ପାଇଥିବା ଜଣାପଡିଛି । ଆସନ୍ତା ୧୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫି ଛାଡ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ ।