(ରିପୋର୍ଟସ ଟୁଡ଼େ): ଖୁବଶୀଘ୍ର ଏସ୍ ସିବିରେ ଆରମ୍ଭ ହେବ୨୪ ଘଣ୍ଟିଆ ରକ୍ତ ପରୀକ୍ଷା । ଆଉଟ ସୋର୍ସିଂ ବ୍ୟବସ୍ଥାରେ ଏହାକୁ କାର୍ୟ୍ୟକାରୀ କରାଯିବ ବୋଲି ଏସ୍ସିବି ପ୍ରଶାସନିକ ଅଧକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନିଦାନ କେନ୍ଦ୍ରରେ ସକାଳୁ ୪ଟା ୫ଟା ପର୍ୟ୍ୟନ୍ତ ବିଭିନ୍ନ ରକ୍ତ ପରୀକ୍ଷା ହୋଇପାରୁଥିବାବେଳେ ତାପରଠାରୁ ସବୁ ପରୀକ୍ଷା ବନ୍ଦ। କେବଳ ରାତି ପର୍ୟ୍ୟନ୍ତ ପରୀକ୍ଷା ରିପୋର୍ଟ ଆଣିବା ପାଇଁ ଲମ୍ବୁଛି ରୋଗୀଙ୍କ ଲମ୍ବା ଲାଇନ୍। ହଠାତ୍ ରାତିରେ ଯଦି କେହି ଗୁରୁତର ରୋଗୀ ଏସ୍ସିବିରେ ପହଞ୍ଚେ ତେବେ ତାର କୌଣସି ପରୀକ୍ଷା ଏସ୍ସିବିରେ ହୋଇ ପାରୁ ନାହିଁ। ଗୁରୁତର ରୋଗୀ ବାଧ୍ୟ ହୋଇ ବାହାର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଭରସାରେ ରହୁଛନ୍ତି। ଗୋଟିଏ ପଟେ ଏସ୍ସିବିରେ ନିଦାନ, ନିରାମୟ ଯୋଜନାରେ ସବୁ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁଥିବାବେଳେ ସଂଧ୍ୟା ପରଠାରୁ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାକୁ ଛାଡିଦେଲେ ସମସ୍ତ ରକ୍ତ, ଅଲଟ୍ରାସାଉଣ୍ଡ ପରୀକ୍ଷା ବନ୍ଦ ରହୁଛି। ୭/୮ମାସ ତଳେ ଏସ୍ସିବିରେ ୨୪ଘଣ୍ଟିଆ ରୋଗ ପରୀକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏ ସଂପର୍କରେ ଆଜି ଏସ୍ସିବିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ୨୪ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା ପିପିପି ମୋଡରେ କାର୍ୟ୍ୟକାରୀ ହେବ ଓ ଆଉଟସୋର୍ସିଂ ବ୍ୟବସ୍ଥାରେ ରୋଗ ପରୀକ୍ଷା ହେବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।