ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହରର ଭୟାବହତାକୁ ନେଇ ସୁପ୍ରିମକୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କି, ଦୁଇ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଆଡମିଶନ ପାଇଁ ଦେଶବ୍ୟାପୀ ଏକକ ନିୟମ କରନ୍ତୁ । ଦେଶରେ କୋଭିଡର ଦ୍ୱିତୀୟ ଲହରରେ ସମସ୍ତ ହସ୍ପିଟାଲକୁ ଗୋଟିଏ ନିୟମ ପାଳନ କରିବାକୁ ହେବ ଓ କୌଣସି ବି ରାଜ୍ୟ ରୋଗୀର ସ୍ଥାନୀୟ ବାସିନ୍ଦା ପ୍ରମାଣ ନ ଥିଲେ ଆବଶ୍ୟକ ହେଉଥିବା ଔଷଧ ଓ ହସ୍ପିଟାଲରେ ଆଡମିଶନକୁ ମନା କରି ପାରିବେ ନାହିଁ ।
ସୁପ୍ରିମ କୋର୍ଟଙ୍କ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସାମାଜିକ ଗଣମାଧ୍ୟମରେ କୌଣସି ସୂଚନା ବା କୌଣସି ବ୍ୟକ୍ତି ଏହି ପ୍ଲାଟଫର୍ମରେ ସାହାଯ୍ୟ ଲୋଡୁଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାକୁ ଗମ୍ଭୀରତା ସହ ନିଆଯିବ । ଏନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡକଙ୍କ ସମସ୍ତ ମୁଖ୍ୟ ସଚିବ, ଡିଜିପି, ସିପିଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଅଧିକାରୀଙ୍କୁ କରାଯାଉଥିବା ଏହି ନିର୍ଦ୍ଦେଶର ଏକ କପି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ହେବ । ଏହି ନିର୍ଦ୍ଦେଶକୁ ସୁପ୍ରିମ କୋର୍ଟର ୱେବସାଇଟରେ ରବିବାର ବିଳମ୍ବିତ ରାତିରେ ଅପଲୋଡ କରାଯାଇଛି ।