(ନିର୍ମଳେନ୍ଦୁ ମିଶ୍ର / ନରସିଂହପୁର): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସତେ ଯେମିତି ଶୋଇପଡିଛି କୁମ୍ଭକର୍ଣ୍ଣ ନିଦ୍ରାରେ। ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଏକ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ୭ ଜଣ ଡାକ୍ତର ଜାଗାରେ ୩ ଜଣ ଡାକ୍ତରରେ ଚାଲିଛି ଗୋଷ୍ଠୀ ଚିକିତ୍ସା କେନ୍ଦ୍ର । ଚିକିତ୍ସା ଅବହେଳାରେ ମୃତ୍ୟୁବରଣ କରୁଛନ୍ତି ରୋଗୀ । ଘଟଣାରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ପଞ୍ଚାୟତର ଉପରକଟା ଗ୍ରାମର ସାରଥି ପ୍ରଧାନ ଦିନମଜୁରିଆ ଭାବରେ କାମ କରନ୍ତି। ଗତକାଲି ବନବିଭାଗର ଜଗୁଆଳି ରମା ଓ ଦୁର୍ୟୋଧନ ଏହି ଦୁଇଜଣ ବ୍ୟକ୍ତି ସାରଥୀଙ୍କୁ ଦିନ ମଜୁରିଆ ହିସାବରେ ଜଙ୍ଗଲରେ ଗଛ କାଟିବାକୁ ନେଇଥିଲେ।ମାତ୍ର ଏକଘଣ୍ଟା କାମ ପରେ ଘରକୁ ଖବର ଆସିଲା ଯେ ସାରଥିଙ୍କର ଦେହ ଖରାପ ହୋଇଛି । ପରିବାର ଲୋକେ ଏକ ଅଟୋରେ ନରସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ସେଠାରେ ଡାକ୍ତର ନଥିବାରୁ କାନପୁରକୁ ନେଇଯାଇଥିଲେ ପରିବାର ଲୋକେ । ମାତ୍ର ସେଠାରେ ସାଲାଇନି ଓ ବଟିକା ଦେଇ ଆମ୍ବୁଲାନ୍ସ ଯୋଗେ ଆଠଗଡ ମେଡିକାଲକୁ ପଠାଇ ଦେଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ତେବେ ଚିକିତ୍ସା ଅବହେଳାରୁ ସାରଥିଙ୍କ ମୃତ୍ୟ ହୋଇଥିବା ତାଙ୍କ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ଅଭିଯୋଗ କରିଛନ୍ତି। ତିନୋଟି ଝିଅକୁ ନେଇ କେମିତି ଚଳିବେ ଏବେ ଚିନ୍ତାରେ ସଂଯୁକ୍ତା।ଉକ୍ତ ପରିବାରକୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇଦେବା ସହିତ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦେବାକୁ ସଧାରଣରେ ଦାବୀ ହୋଇଛି ।