ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟାରରେ ବାଲି ଚରାଚାଲଣ ହେଉଥିବା ନଜର ରହିଛି । ଗତ କିଛି ଦିନ ଧରି ମଞ୍ଜୁରୀ ପ୍ରାପ୍ତ ବାଲି ସୈରତ ଗୁଡ଼ିକରେ ବାଲି ଖନନ ଓ ପରିବହନ ବନ୍ଦ ରହିଛି । ଏହାର ଭରପୁର ସୁଯୋଗ ଉଠାଇ ରାଜସ୍ୱ ଲୁଟି ଚାଲିଛନ୍ତି ଗାଁ ଗହଳିର କୁଖ୍ୟାତ ବାଲି ମାଫିଆ । ଖଣି ବିଭାଗର ଅଧୀକାରୀଙ୍କ ଚଢ଼ାଉ ଅଭାବରୁ ଗାଁ ଗହଳିର ଛୋଟ ମୋଟ ବାଲି ମାଫିଆ ନଦୀ ଗର୍ଭକୁ ଯାଇ ଦୈନିକ ମୋଟା ଅଙ୍କର ରାଜସ୍ୱ ଗିଳି ଚାଲିଛନ୍ତି ।
ମଧ୍ୟ ରାତ୍ରିର ସୁଯୋଗ ନେଇ ଖଣି ବିଭାଗର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଶହ ଶହ ବାଲି ଟ୍ରାକ୍ଟର ଗାଁ ଗହଳି ଓ ହିଞ୍ଜିଳି କାଟୁ ସହରର ଗଳି କନ୍ଦିରେ ଚଢ଼ା ଦରରେ ଠୁଳ ହେଉଥିବା ଦେଖାଯାଇଛି । ଏଭଳି ଚୋରା କାରବାର ଉପରେ ପଦକ୍ଷେପ ଗ୍ରହଣ କରିଛି ପୋଲିସ । ସୋମବାର ଭୋର ସମୟରେ ହିଞ୍ଜିଳି ଥାନା ଚାନ୍ଦୁଲି ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୋଲିସ ୨ଟି ବାଲି ବୋଝେଇ ଟ୍ରାକ୍ଟର (ଙଊ ୦୭ ତ ୦୮୨୬, ଙଊ ୦୭ ଇକ ୭୭୨୬) କୁ ଜବତ କରିଛି । ସଂପୃକ୍ତ ଘଟଣାରେ ପୋଲିସ ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଟ୍ରାକ୍ଟର ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଗିରଫ ଚାଳକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଟୁକୁନା ଦାସ (୪୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ– ୭୬୫/୨୫ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳର ଘୋଡାହାଡ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥୀବା ଗାଡି ମାଲିକ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧୀକାରୀ ସୂଚନା ଦେଇଛନ୍ତିି ।