ଶ୍ରାବଣ ସୋମବାର ଉପଲକ୍ଷେ ବାଲୁକାକଳାରେ ଶିବଭକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ:- ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆ ଭକ୍ତଙ୍କ ଗହଳି । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ଜଳାଭିଷେକରେ ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ତେବେ ପୁରୀ ଶ୍ରୀଲୋକନାଥଙ୍କ ପିଠରେ ମଧ୍ୟ ହଜାର ହଜାର କାଉଡ଼ିଆ ଭକ୍ତ ଜଳଲାଗି କରିଛନ୍ତି । ଏହି ପବିତ୍ର ଶ୍ରାବଣ ସୋମବାର ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢ଼ିଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତୀ । ଏହି ବିଶାଳ ବାଲୁକାକଳାରେ ଶିବ ପାର୍ବତୀ ଓ କାଉଡ଼ିଆ ଭକ୍ତଙ୍କ ପ୍ରତିକୃତି ପ୍ରଦର୍ଶିତ କରାଯାଇଛି । ଏହି ସୁନ୍ଦର ବାଲୁକାକଳା ପ୍ରଦର୍ଶନୀକୁ ଦେଖିବା ପାଇଁ ଭକ୍ତ ଓ ପର୍ଯ୍ୟଟକମାନଙ୍କର ଗହଳି ଜମିଛି ।