ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କୁନି ପ୍ରତିଭା ରୁଦ୍ର

ମାହାଙ୍ଗା:  ପ୍ରତିଭା ଦେଇଛି ପରିଚୟ । ଆଜିକାଲି ଅନେକ ପ୍ରତିଭାକୁ ମିଳୁଛି ସମ୍ମାନ । ଖୁବ୍ କମ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର କୁନି ପ୍ରତିଭା । ଏଭଳି ଏକ ନିଆରା ପ୍ରତିଭାକୁ ପୁଣି ମିଳିଛି ପୁରସ୍କାର ।

ଓଡିଶାରେ ପ୍ରତିଭାର ଅଭାବ ନାହିଁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବ ପଂଚାୟତ ଅଲ୍ଲୀ ନଗର ଗ୍ରାମର ଗଣେଷ ଚନ୍ଦ୍ର ସାହୁଙ୍କ ୨ ବର୍ଷ ୧୧ ମାସର ପୁଅ ରୁଦ୍ର ପ୍ରସାଦ ଯିଏକି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଗତ ମାସକ ତଳେ ସେ ଅନଲାଇନ୍ ମାଧ୍ୟମରେ ଆବେଦନ କରି ଦେଶବିଦେଶ ଓ ସାଧାରଣ ଜ୍ଞାନ ବାବଦରେ ଦକ୍ଷତା ଦେଖାଇଥିବାରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରୁଦ୍ର ପ୍ରସାଦ କୌଣସି ବିଦ୍ୟାଳୟରେ ଅଧ୍ୟୟନ କରିନାହାନ୍ତି । ତାଙ୍କ ମାଆ ଶୁଭଲକ୍ଷ୍ମୀ ସାହୁଙ୍କ ପାଇଁ ସେ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହୋଇ ପୁରସ୍କୃତ ହେବା ସହ ସମସ୍ତଙ୍କ ପାଇଁ ଗୌରବ ଆଣିଛନ୍ତି । ଏତେ କମ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଏହି କୁନି ପ୍ରତିଭା । ଏହାକୁ ନେଇ ପରିବାର ଓ ଗ୍ରାମବାସୀ ବେଶ ଖୁସି ଅଛନ୍ତି।