ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ, ଅଡୁଆରେ INDIGO

ନୂଆଦିଲ୍ଲୀ: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ ଯୋଜନା ଏବଂ ସଂଶୋଧିତ ଡ୍ୟୁଟି ନିୟମର ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ନିକଟରେ ଶହ ଶହ ବିମାନ ବିଳମ୍ବ ଓ ବାତିଲ ହେବା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭାରତୀୟ ବିମାନ ଚଳାଚଳ ନିୟାମକ ସଂସ୍ଥା (DGCA) ରିପୋର୍ଟ ଅନୁସାରେ, ଏୟାରଲାଇନ୍ସ କର୍ତ୍ତୃପକ୍ଷ ନିଜର ଲାଭ ପାଇଁ କ୍ରୁ ସଦସ୍ୟ ଓ ବିମାନର ସର୍ବାଧିକ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ କୌଣସି ଜରୁରୀ ପରିସ୍ଥିତିରେ ବିମାନ ସେବା ସ୍ୱାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା।

ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ ବିମାନ କମ୍ପାନୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ ଦେଶବ୍ୟାପୀ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଘଣ୍ଟାଘଣ୍ଟା ଧରି ସେଠାରେ ଅଟକି ରହିଥିଲେ। ବିମାନଭଡ଼ା ମୂଲ୍ୟ ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇଥିଲା । ଏଥିପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ବିମାନ ଭଡ଼ାର ସର୍ବୋଚ୍ଚ ସୀମା ଘୋଷଣା କରାଯାଇଥିଲା । ଜାରି ଏକ ବିବୃତ୍ତିରେ DGCA କହିଛି ଯେ, ଇଣ୍ଡିଗୋ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଏୟାରଲାଇନ୍ସର ପରିଚାଳନା ବିଫଳତାର ସମୀକ୍ଷା ପରେ କରାଯାଇଛି, ଯାହା ଯାତ୍ରୀ ମାନଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ କରିଥିଲା । ଦେଶର ସର୍ବବୃହତ ବିମାନ କମ୍ପାନୀ ଉପରେ ୬୮ ଦିନ ପାଇଁ ପ୍ରତିଦିନ ୩ ଲକ୍ଷ ଲେଖାଏ ଜରିମାନା ଲଗାଇଛି, ଏବଂ ଏହା ସହ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କାର ଜରିମାନା ମଧ୍ୟ କରିଛି । ଏହା କମ୍ପାନୀ ଉପରେ ଲାଗୁ ହୋଇଥିବା ମୋଟ ଜରିମାନା ୨୨.୨ କୋଟିକୁ ପହଞ୍ଚାଇଛି ।