ରାଉରକେଲା କଲେଜ ଓଡିଆ ବିଭାଗର ଦ୍ବିତୀୟ ସଂପାନ ଆଲୋଚନାଚକ୍ର

ରାଉରକେଲା: ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓଡିଆ ବିଭାଗ ତରଫରୁ ତିନି ଥାକିଆ ଆଲୋଚନାଚକ୍ରର ଦ୍ବିତୀୟ ସଂପାନ ଆଲୋଚନାଚକ୍ର ସ୍ବାଧୀନତା ପରବର୍ତ୍ତୀ ଓଡିଆ କ୍ଷୁଦ୍ରଗଳ୍ପର ଶିଳ୍ପକଳା , ଏବଂ ସ୍ବାଧୀନତା ପରବର୍ତ୍ତୀ ଓଡିଆ ଗଣମାଧ୍ୟମ ସଂପର୍କରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଭାପତିତ୍ବ ତଥା ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପ୍ରଥମ ବିଷୟ ପାଇଁ ଆଲୋଚକ ସୁଶିଳାବତୀ ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ମହେଶ୍ବେତା ସାହୁ ଓ ଦ୍ବିତୀୟ ବିଷୟ ପାଇଁ ଆଲୋଚକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ।
ଅଧ୍ୟାପିକା ଶ୍ରୀମତୀ ସାହୁ ସ୍ବାଧୀନତା ପରବର୍ତ୍ତୀ ଓଡିଆ କ୍ଷୁଦ୍ରଗଳ୍ପର ଶିଳ୍ପକଳା ସଂପର୍କରେ ଆଲୋଚନା କରିକହିଲେ ଯେ ଗଳ୍ପ ମାନବ ଜୀବନର ଏକ ଉଜ୍ବଳ ନକ୍ଷତ୍ର ସଦୃଶ୍ୟ। ସାହିତ୍ୟର ଚିରନ୍ତନ ସୌନ୍ଦର୍ୟ୍ୟବୋଧକୁ ନେଇ ଗଳ୍ପର ଯାତ୍ରା। ମଣିଷର ସୃଷ୍ଟିଠାରୁ ଗଳ୍ପର ଆରମ୍ଭ। ମଣିଷ ମଧ୍ୟ ଗଳ୍ପର ଅବିଚ୍ଛେଦ ଅଙ୍ଗ ହୋଇ ରହିଥାଏ। କମ୍ ସମୟରେ ଗଳ୍ପ ଏକ ଚିରସ୍ଥାୟୀ ଅନୁଭୂତି ପ୍ରକାଶ କରାଏ। ୧୯୨୦ରୁ ୧୯୫୦ ମଧ୍ୟରେ ଗଳ୍ପର ବିକାଶ ଓ ଏହାପରେ ଗଳ୍ପର ସୁବର୍ଣ୍ଣଯୁଗ ବୋଲି କୁହାଯାଏ। ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ଥିଲେ ଗଳ୍ପ ସାହିତ୍ୟର ଭାଗିରଥି ଓ ବ୍ରହ୍ମାନନ୍ଦ ପଣ୍ଡା ଥିଲେ କ୍ଷୁଦ୍ରଗଳ୍ପର ପ୍ରତିଷ୍ଠାତା। ସେହିପରି ଅନ୍ୟତମ ଆଲୋଚକ ଶ୍ରୀ ରାଉତ ସ୍ବାଧୀନତା ପରବର୍ତ୍ତୀ ଓଡିଆ ଗଣମାଧ୍ୟମ ସଂପର୍କରେ ଆଲୋଚନା କରି କହିଲେ ଯେ ବିପ୍ଳବ ଓ ମାଗଦର୍ଶନର ଅନ୍ୟନାମ ଗଣମାଧ୍ୟମ। ଗଣମାଧ୍ୟମ ଗଣତନ୍ତ୍ରର ଆଇନା ସଦୃଶ। ସ୍ବାଧୀନତା ପୂର୍ବରୁ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ କଥା କୁ ବହନ କରିଥିବା ବେଳେ ସ୍ବାଧୀନତା ପରେ ବହୁ ବାଧାବିଘ୍ନ ସତ୍ତ୍ଵେ ସମାଜର କଲ୍ୟାଣ ପାଇଁ, ଶାସନ ପ୍ରଶାସନ କ୍ଷେତ୍ରରେ ସ୍ବଚ୍ଛତା ଓ ଉନ୍ନତି ପାଇଁ ଉଚିତ ପରାମର୍ଶ ଦେଇଛି।
ବହୁ ପ୍ରତିକୂଳ ଆହ୍ବାନ ସତ୍ତ୍ବେ ଭାରତୀୟ ସଂସ୍କୃତି ଓ ସାର୍ବଭୌମତ୍ବ ରକ୍ଷା କ୍ଷେତ୍ରରେ ଗଣମାଧ୍ୟମ କେବେବି ପଛଘୁଞ୍ଚା ଦେଇନାହିଁ। ଏହାପରେ ଗଣମାଧ୍ୟମର ପରିଭାଷା ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଅଧ୍ୟାପିକା ଶ୍ରୀମତୀ ମଥାନ ସଭାପତିତ୍ବ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହା ପରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବବିତା, ଗୁଡ୍ଡି, ରୂପନୀ,ମମତା, ସଂଗୀତା, ଅନୁଶ୍ରୀ ବିଷ୍ଣୁପ୍ରିୟା,ମନସ୍ବୀ ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ କାର୍ୟ୍ୟକ୍ରମ ଶେଷରେ ଉପଦେଷ୍ଟା ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମ ପରିଚାଳନା ସୁଶ୍ରୀ ଶୃତି, ଦୀପିକା, ଅନପୂର୍ଣା ,ପ୍ରୀତି, ଅଞ୍ଜଳୀ, ଶୁଭଶ୍ରୀ, ପୁଷ୍ପାଞ୍ଜଳୀ,ସୁମନ,ଲିପ୍ସା, ସୋନିଆ, ଭବାନୀ,ଗୁଡି , ସନ୍ତୋଷ , ବିଶ୍ବଜିତ, ସୁବ୍ରତ, ସମିର, ସୂରଜ, ଆଦିତ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।