ସାଂସଦଙ୍କ ନେତୃତ୍ବରେ କଟକ ରୋଡ଼ ସେଫଟି ମିଟିଙ୍ଗ

କଟକ (ଜଗନ୍ନାଥ ମହାନ୍ତି): କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି କଟକ ରୋଡ଼ ସେଫଟି ମିଟିଙ୍ଗ । କଟକ ସହର ତଥା କଟକ ଜିଲ୍ଲାର ଅନେକ ଅଞ୍ଚଳରେ ଥିବା ରାସ୍ତା ସମସ୍ୟା ଉପରେ ଏହି ସଭାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ବିଶେଷ କରି ଜଗତପୁର , ମଙ୍ଗୁଳି ଓ ଗୋପାଳପୁର ଠାରେ କିଛିଦିନ ହେବ ବର୍ଷା ଯୋଗୁଁ ଉପୁଜିଥିବା ବିଭିନ୍ନ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହା ସହ ଜାତୀୟ ରାଜପଥରେ ଲାଖୁନା ଯୋଗୁ କଟକର ମହାନଦୀ ବିହାର, ଶିଖରପୁର, ଜଗତପୁର ଓ ଗୋପାଳପୁର ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇ ରହୁଛି । ଯାହାର ସମାଧାନ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ଆଗକୁ ଯେପରି ସଡକ ଦୁର୍ଘଟଣା ରୋକା ଯାଇ ରାସ୍ତାର ସମସ୍ୟା ଦୂର କରାଯାଇପାରିବ ତାହା ଉପରେ ଏହି ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି କମିଟି ମିଟିଙ୍ଗରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।