(ଗୋଲାପ ସାହୁ/କଳାହାଣ୍ଡି): ସାଧାରଣତଃ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଗମନାଗମନର ସୁବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗ୍ରାମରୁ ସହରକୁ ସାଧାରଣ ଲୋକଙ୍କୁ ଗମନାଗମନ ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡକ ଜରିଆରେ ଅନେକ ଗାଁକୁ ଯୋଡିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ରାସ୍ତା ମରଣଯନ୍ତା ପାଲଟିଛି । ନିମ୍ନମାନର କାମ ଓ ତାର ଆବଶ୍ୟକୀୟ ମରାମତି ଅଭାବରୁ ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଲାଣି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକକୁ ସଂଯୋଗ କରୁଥିବା ବଡକର୍ଲାକୋଟ ପ୍ରଧାନମନ୍ତ୍ରୀ ସଡକ । ଉକ୍ତ ରାସ୍ତାଟି ନିର୍ମାଣ ହୋଇ ଦୀର୍ଘ ଦିନ ବିତିସାରିଥିଲେ ମଧ୍ୟ ଏହାର ମରାମତିର ଅଭାବ ଯୋଗୁଁ ବର୍ତ୍ତମାନ ଏହା ଶୋଚନୀୟ ଅବସ୍ଥାରେ ରହିଛି । ବର୍ଷାଦିନେ ଏହାର ଅବସ୍ଥା ନକହିଲେ ଭଲ। ଏହି ରାସ୍ତା ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଥିବା ବେଳେ ଓଭରଲୋଡ଼ ଗାଡି ମଧ୍ୟ ଚାଲୁଛି । କିନ୍ତୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଦେଖା ଦେଇଛି ।