ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ, ୨ ଗୁରୁତର

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଭୋର ସମୟରେ ପୁରୀ ଜଗନ୍ନାଥ ସଡକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ସୁକଳ ଭାଇଲିପୁର ନିକଟରେ ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ଗଞ୍ଜାମ ଜିଲ୍ଲା ଇଚ୍ଛାପୁର ନିକଟସ୍ଥ ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଲାଲକମଙ୍ଗ ଗାଁର ଏକ ପରିବାର ନିଜ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ସମ୍ପର୍କୀୟଙ୍କ ସହ ଏକ ବୋଲେରୋରେ ପୁରୀ ଆସୁଥିଲେ । କିନ୍ତୁ ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏହି ବୋଲେରୋଟି ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମସ୍ତଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ ତେବେ ଗୁରୁତରଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା, ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି। ଦୁର୍ଘଟଣା ଘଟିବା ପରେ ଉକ୍ତ ଗାଡିର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଜାରୀରଖିବା ସହ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।