ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପାଇପ୍ଯୋଗେ ପ୍ରାକୃତିକ ଗ୍ୟାସ୍, ପିଏନ୍ଜି ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ୍, ଏଲ୍ପିଜି ସଂଯୋଗ ଉପରେ କଟକଣା ଜାରି କରାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଏଲ୍ପିଜି ସଂଯୋଗ ତୁରନ୍ତ ହସ୍ତାନ୍ତର କରିବାକୁ ଉପଭୋକ୍ତାଙ୍କୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି । ପିଏନ୍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏଲ୍ପିଜି ସଂଯୋଗକୁ କାର୍ଯ୍ୟକାରୀ ରଖିବା କିମ୍ବା ସରକାରୀ ତୈଳ କମ୍ପାନୀ ଓ ସେମାନଙ୍କର ଅଧିକୃତ ବିତରକଙ୍କଠାରୁ ଏଲ୍ପିଜି ସିଲିଣ୍ଡର ରିଫିଲ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।