ଲୋକାଲ ସେଲକୁ ବସ୍ତିବାସିନ୍ଦାଙ୍କ ବିରୋଧ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରୁ ରବିବାର ୧୧ଟା ବେଳେ ଲୋକାଲ ସେଲ ଶୁଭାରମ୍ଭ ହୋଇଛି । ଖଣିରୁ କୋଇଲା ଗୋଟିଏ ଟ୍ରକ୍ରେ କୋଇଲା ଲୋଡିଂ କରି ବସ୍ତିବାସିନ୍ଦା ରାସ୍ତା ଦେଇ ଯାଇଥିଲା । ଏହାପରେ ବସ୍ତିବାସିନ୍ଦା ଏକଜୁଟ୍ ହୋଇ ଅନ୍ୟ ଏକ କୋଇଲା ଲୋଡିଂ ଟ୍ରକ ବସ୍ତି ରାସ୍ତା ଦେଇ ଆସୁଥିବା ବେଳେ ତାକୁ ଅଟକାଇ ଥିଲେ । ଅପରାହ୍ନ ୨ଟାରେ ବସ୍ତିର ଶତାଧିକ ମହିଳା ଧାରଣାରେ ବସି ବେଆଇନ ଟ୍ରକ ଚଳାଚଳ କୁ ବିରୋଧ କରିଛନ୍ତି । ତେବେ କିଛି ସ୍ଥାନୀୟ ଯୁବକଙ୍କୁ ପରିବହନ ସଂସ୍ଥା ହାତ କରି ବସ୍ତିବାସିନ୍ଦାକୁ ଧମକ ଚମକ ଦେଇଥିଲେ ବୋଲି ଟୋଲକପଶି ମୌଜା ଅଧିବାସୀ ସଂଗୀନ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅଞ୍ଚଳରେ ଚାପା ଉତେଜନା ଜାରି ରହିଛି ।
ସଂଧ୍ୟାରେ ବସ୍ତି ରାସ୍ତାରେ ପୁଲିସ୍ କଡା ପହାର ମାରୁଥିବା ବେଳେ ଏନଟିପିସି ପୁଲିସ୍ ଧାରଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ଲୋକାଲ ସେଲକୁ ଦୁହେଁ ବରଂ ବସ୍ତି ରାସ୍ତାରେ କୋଇଲା ଟ୍ରକ୍ ଚଳାଚଳକୁ ବିରୋଧ କରୁଥିବା କହିଛନ୍ତି ସ୍ଥନୀୟ ବାସିନ୍ଦା । କୋଇଲା ଟ୍ରକ ପରିବହନ ପାଇଁ ନୂତନ ରାସ୍ତା କିମ୍ବା ଜାତୀୟ ରାଜପଥରେ ଏହି କୋଇଲା ଟ୍ରକ୍ ଚଳାଚଳ କରୁ ବୋଲି ଅଧିବାସୀ ଜିଦରେ ଅଡି ବସିଛନ୍ତି । ପୁଲିସ ଲଗାଇ ବଳପୂର୍ବକ ବସ୍ତି ରାସ୍ତା ଚଳାଚଳ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଧାରଣାକାରୀ । ଅନ୍ୟପକ୍ଷରେ ବସ୍ତିବାସିନ୍ଦାଙ୍କ ରାସ୍ତାରେ ଲୋକଲ୍ ସେଲ୍ ପାଇଁ ଶହ ଶହ ଟ୍ରକ୍ ଚଳାଚଳ କରିବା ନେଇ ଏମ୍ସିଏଲ୍ ଓ ପରିବହନ ସଂସ୍ଥା ମସୁଧା ଚଳାଇଥିବା ସ୍ଥାନୀୟ ଓ ଉପଖଣ୍ଡ ପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଧିବାସୀ ଦୁଖବନ୍ଧୁ ନାଏକ, ସୁରେଶ କୁମାର ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ବେହେରା, ଗଣେଶ୍ୱର ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି ।