ନୂଆଦିଲ୍ଲୀ : କରୋନା ମହାମାରୀ ପରେ ଭାରତ ବଜାରରେ ବେଶ ସୁଧାର ଆସିଛି । ମହାମାରୀ ସମୟ ଅପେକ୍ଷା ଏବେ ଖର୍ଚ୍ଚର ପରିମାଣ ଅଧିକ ବଢିଯାଇଛି । ମେଟ୍ରୋ ସହର ବା ବଡ ସହର ଅପେକ୍ଷା ଛୋଟ ସହର ଲୋକ ଅଧିକ ଖର୍ଚ୍ଚ କରୁଛନ୍ତି । ଭ୍ରମଣ ଏବଂ ମନୋରଞ୍ଜନ ଭଳି ଅନ୍ୟାବଶ୍ୟକ କ୍ଷେତ୍ରରେ ଅଧିକ ଅର୍ଥ ଉଡାଉଛନ୍ତି ।କାରଣ ମେଟ୍ରୋ ସହରରେ ୨୨% ଏବଂ ଅଣ-ମେଟ୍ରୋରେ ୩୦% ଲୋକଙ୍କ ଆୟରେ ବୃଦ୍ଧି ଘଟିଛି। ଛୋଟ ସହର ଲୋକଙ୍କ ଅନାବଶ୍ୟକ ଖର୍ଚ୍ଚ ମେଟ୍ରୋ ସହରର ଲୋକଙ୍କ ତୁଳନାରେ ତୁଳନାରେ ବହୁ ଗୁଣ ଅଧିକ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କରାଯାଇଥିବା ଉପଭୋକ୍ତା ଆତ୍ମବିଶ୍ବାସ ସର୍ଭେରେ ଏହା କୁହାଯାଇଛି।
ଆମାଜନ ଇଣ୍ଡିଆର କହିବାନୁଯାୟୀ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଫେଷ୍ଟିଭ୍ ସେଲ୍ ଆରମ୍ଭର ଦୁଇ ଦିନ ମଧ୍ୟରେ ୮ ପ୍ରତିଶତରୁ ଅଧିକ ଗ୍ରାହକ ଅଣ-ମେଟ୍ରୋ ସହରରୁ ଲଗ୍ ଇନ୍ କରୁଛନ୍ତି। ସେହିପରି ଆର୍ବିଆଇ ସର୍ଭେର ୟୁନିଟ୍ ସ୍ତରୀୟ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଛୋଟ ସହରର ଲୋକମାନେ ବର୍ତ୍ତମାନ ଅଧିକ ଅର୍ଥ ରୋଜଗାର କରୁଛନ୍ତି। ତେଣୁ ସେମାନେ ଭ୍ରମଣ, ମନୋରଞ୍ଜନ ପରି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ସର୍ଭେରେ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରିଛି। ଏହି ସର୍ଭେ ମେଟ୍ରୋ (ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ଏବଂ କୋଲକାତା) ଏବଂ ଅଣ- ମେଟ୍ରୋ ସହରଗୁଡିକ (ଜୟପୁର, ନାଗପୁର, ଥିରୁବନନ୍ତପୁରମ୍ ଭଳି ସହରରେ କରାଯାଇଛି।
ରିଜର୍ଭ ବ୍ୟାଙ୍କ ପ୍ରତି ଦୁଇ ମାସରେ ଗ୍ରାହକଙ୍କ ଖର୍ଚ୍ଚ ଉପରେ ଏକ ସର୍ଭେ କରିଥାଏ। ଚଳିତବର୍ଷ ଜୁଲାଇ ମାସର ତଥ୍ୟାନୁଯାୟୀ ବଜାରରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଉଭୟ ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅବଶ୍ୟ, ଅଣ-ଅତ୍ୟାବଶ୍ୟକ ଖର୍ଚ୍ଚ କ୍ଷେତ୍ରରେ ଏହି ବ୍ୟବଧାନ ବହୁତ ଅଧିକ ରହିଛି। ଅଣ-ମେଟ୍ରୋ ବା ଛୋଟ ସହରଗୁଡିକର ୩୬.୪% ଲୋକଙ୍କ ତୁଳନାରେ ମେଟ୍ରୋ ସହରଗୁଡିକର ୨୦%ରୁ ଅଧିକ ଲୋକ ସେମାନଙ୍କର ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି।