ଶବ ଖୋଜି ଖୋଜି ଧର୍ଯ୍ୟହରା ସମ୍ପର୍କୀୟ

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଭୟାନକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଆଉ ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ବି ଦେଖିବାକୁ ମିଳୁଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ କିଛି ପରିବାର ଘଟଣାସ୍ଥଳରେ ପହଁଚି ଫଟୋ ଧରି ନିଜ ଲୋକର ଶବ ଖୋଜିବାରେ ଲାଗିପଡିଛନ୍ତି। ଖୋଜି ଖୋଜି ହାଲିଆ ହୋଇଗଲେଣି, କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ ସେମାନଙ୍କର।

ଏହାରି ଭିତରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବାପା ତାଙ୍କ ପୁଅକୁ ଖୋଜି ଖୋଜି ଚେତା ହରାଉଛନ୍ତି । ଉପସ୍ଥିତ ଲୋକେ ମୁହଁରେ ପାଣି ଛାଟି ଚେତା ଫେରାଇବାକୁ ଚେଷ୍ଟା ଚଲାଇଛନ୍ତି । ଯେତେବେଳେ ବି ଟିକେ ଚେତା ଫେରୁଛି ସେତେବେଳେ ପୁଅକୁ ଖୋଜୁଛନ୍ତି । ଆଉ ଉପସ୍ଥିତ ଲୋକେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଧର୍ୟ୍ୟ ଧରିବାକୁ କହୁଛନ୍ତି । ଏହା ଏମିତି ଏକ ଦୁର୍ଘଟଣା ଯାହା କଳ୍ପନା ବାହାରେ। ଦୁଇ ଏକ୍ସପ୍ରେସ ମଧ୍ୟରେ ଏପରି ଦୁର୍ଘଟଣା ଘଟିବା କେହି କେବେ କଳ୍ପନାରେ ଭାବିନଥିବେ ।

ଏପଟେ ସକାଳୁ ସକାଳୁ ଉଦ୍ଧାର କାର୍ୟ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଉଦ୍ଧାର କାର୍ୟ୍ୟ ଜାରି ରଖାଯାଇଛି। ଉଦ୍ଧାର କାର୍ୟ୍ୟକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ୟ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ୟ୍ୟ ଆଉ କିଛି ସମୟ ଲାଗିବ। ଆହତଙ୍କୁ ବାଲେଶ୍ୱର ,ଭଦ୍ରକ ଓ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।