ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି । ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ବିଶେଷକରି ଉଭୟ ଦେଶର ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା ଆଉ ଦୁଇ ଦେଶର ସମ୍ପର୍କ କିଭଳି ମଜବୁତ ହେବ ତା’ ଉପରେ ଆଲୋଚନା କରାଯାଇଥିଲା ।
ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ ବୋଲି ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ବର୍ଷ କାଜାନରେ ଆମର ବହୁତ ଫଳପ୍ରଦ ଆଲୋଚନା ହୋଇଥିଲା । ସେଠାରେ ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ମିଳିଥିଲା । ସୀମାରୁ ସୈନ୍ୟ ପ୍ରତ୍ୟାହାର ପରେ, ଏବେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି । ଜିନପିଙ୍ଗ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗ ପାଇଁ ନିଜର ସହମତି ପ୍ରକାଶ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଭାରତ ଏବଂ ଚୀନ ଏକା ସାଙ୍ଗରେ ଚାଲିବା ଉଚିତ ଏବଂ ଦୁଇ ଦେଶର ସମ୍ପର୍କ ମଜଭୁତ ହେବା ଜରୁରୀ ବୋଲି ଜିନପିଙ୍ଗ ମତପୋଷଣ କରିଥିଲେ ।