(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ମାଛରେ ବରା ପ୍ରସ୍ତୁତ କରି ଖାଇଥିବେ । କେବେ ଚିଙ୍ଗୁଡ଼ିରେ ବରା ପ୍ରସ୍ତୁତ କରି ଟେଷ୍ଟ କରିଛନ୍ତି କି । ତେବେ ଆସନ୍ତୁ ପ୍ରସ୍ତୁତ କରିବା ଚିଙ୍ଗୁଡ଼ି ବରା ।
ଚିଙ୍ଗୁଡ଼ି ବରା
ପ୍ରଥମେ କିଛି ଚିଙ୍ଗୁଡ଼ିକୁ ଧୋଇ ଶିଳରେ ବାଟି ଦିଅନ୍ତୁ। ଏବେ ଏହି ଚିଙ୍ଗୁଡ଼ିରେ ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର କଟା, ରସୁଣ ଛେଚା, ଗରମ ମସଲା ଗୁଣ୍ଡ, ଅଧ ଚାମଚରୁ କମ୍ ହଳଦୀ ଗୁଣ୍ଡ, ଲୁଣ ସ୍ଵାଦଅନୁସାରେ ଓ ଏଥିରେ ଗୋଟେ କଟା ପିଆଜ ପକାଇ ଗୋଳାଇ ଦେବା।
ଏବେ ଗୋଟେ ପ୍ୟାନ୍କୁ ଗ୍ୟାସ୍ରେ ବସାଇ ଅଳ୍ପ ଭାଜି ହେବା ଭଳି ରିଫାଇଣ୍ଡ ତେଲ ଢାଳିବା। ଏବେ ଗୋଟେ ଛୋଟ ପାତ୍ରରେ ମଇଦା ୨ ଚାମଚ, ଏଥିରେ ଟିକେ ପାଣି ଓ ଟିକେ ଲୁଣ ପକାଇ ଘାଣ୍ଟି ଦେବା। ଏବେ ସେହି ଚିଙ୍ଗୁଡ଼ିକୁ ବରା ଆକାରରେ ଗୋଲ ଗୋଲ କରି ମଇଦା ମିଶ୍ରିତ ପାଣିରେ ବୁଡ଼ାଇ ଭାଜିବା। ଚିଙ୍ଗୁଡ଼ି ବରା ହାଲ୍କା ବାଦାମୀ ରଙ୍ଗର ହୋଇଗଲେ ଗୋଟେ ପ୍ଲେଟ୍ରେ କାଢ଼ିଦେବେ।
ଖଟାମିଠା ମସଲା
ଏବେ ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାଇବେ। ସେଥିରେ ଦୁଇ ଚାମଚ ତେଲ ଦେବେ। ତେଲ ଗରମ ହୋଇଗଲେ ଏଥିରେ ଗୋଟେ ପିଆଜକୁ କାଟି ପକାଇବେ। ପିଆଜ ନାଲି ହୋଇଗଲେ ଏଥିରେ ଦୁଇଚାମଚ ଅଦାରସୁଣ ପେଷ୍ଟ, ହଳଦୀ ଅଧଚାମଚ, ଲୁଣ ସ୍ୱାଦଅନୁସାରେ ମିଶାନ୍ତୁ। ଏବେ ଏଥିରେ ୨ ଚାମଚ କାଜୁ ବଟା, ଦହି ଗୋଟେ ଚାମଚ ପକାଇ ଟିକେ ପାଣି ଦେଇଦେବେ। ମସଲା ଫୁଟିଗଲେ ଏଥିରେ ସ୍ଵାଦ ଅନୁସାରେ ଗୁଡ଼ ଓ ତେନ୍ତୁଳି ପକାଇ ଫୁଟାଇବେ। ଏବେ ଏଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ଚିଙ୍ଗୁଡ଼ି ବରା ମିଶାଇବେ। ଶେଷରେ ଧନିଆ ପତ୍ର ପକାଇ ଗରମା ଗରମ ଖାଇବେ।