କଟକ-: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ହେଲା ପ୍ରତ୍ୟାହୃତ କଲେ କଲେଜ କର୍ତ୍ତୃପକ୍ଷ । ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ ନିର୍ଦ୍ଦେଶନାମା କିଛି ସମୟ ପରେ ପ୍ରତ୍ୟାହୃତ ହୋଇଛି । ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରି ନେଲେ ରେଭେନ୍ସା କର୍ତ୍ତୃପକ୍ଷ ।

ସୂଚନା ମୁତାବକ, ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଓ ପିଡୀତଙ୍କ ମୃତ୍ୟୁ ବରଣକୁ ନେଇ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ରେଭନ୍ସୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କିଛି ସମୟ ପରେ ପ୍ରତ୍ୟାହୃତ ହୋଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅପରାହ୍ନ ସାଢେ ୫ଟା ପରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀ କାମ କରିବେ ନାହିଁ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ । ତେବେ ଖୁବଶୀଘ୍ର ଏ ନେଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ପ୍ରଥମେ ବିଜ୍ଞପ୍ତି ଜାରି କରାଗଲା, ଏବଂ ପରେ କାହିଁକି ପ୍ରତ୍ୟାହୃତ ହେଲା ତାହାର କାରଣ ଜଣାପଡିନାହିଁ ।
