ପୁରୀ: ହେବ ସବୁ ଅପେକ୍ଷାର ଅନ୍ତ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ପରେ ବଡ ସୂଚନା ଦେଲେ ଜିଲ୍ଲାପାଳ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆସନ୍ତାକାଲି ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର । ସକାଳ ୧୦ ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ । ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ । କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବେ ଶ୍ରୀମନ୍ଦିର । ପାଳିଆ ସେବକ ଓ ୧୧ ଜଣିଆ ଟିମ୍ ସଦସ୍ୟ ପାସ୍ ଦେଖାଇ ଭିତରକୁ ଯିବେ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆସନ୍ତା କାଲି ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ଏହି ସମୟରେ ବାରଣ ରହିବ l ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ l ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଟକଣା ପ୍ରତ୍ୟାହାର ହେବ ଓ ଦର୍ଶନ ସ୍ୱାଭାବିକ ହେବ l