ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା ସ୍ପଷ୍ଟ କରାଯାଇଛି ଯେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଓ ଶେଷରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ।

ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫, ଚୈତ୍ର ଶୁକ୍ଳ ସପ୍ତମୀ ତିଥିରୁ ଗଣତିମଣତି ଆରମ୍ଭ ହେବ। ଦିନ ୧୨ଟା ୯ ମିନିଟ୍‌ରୁ ୧ଟା ୪୫ ମିନିଟ୍‌ ମଧ୍ୟରେ ଏହାର ଶୁଭାରମ୍ଭ ହେବ ବୋଲି ନିର୍ଣ୍ଣୟ ହୋଇଛି। ଗଣତିମଣତି ପ୍ରକ୍ରିୟାକୁ ସୁସ୍ପଷ୍ଟ ଓ ପ୍ରମାଣିତ କରିବା ପାଇଁ ଭିଡିଓଗ୍ରାଫି, ଫଟୋଗ୍ରାଫି ଓ 3D ମ୍ୟାପିଂ ବ୍ୟବସ୍ଥା କରାଯାଇଛି।

ଏହାସହ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। Justice Bishwanath Rathଙ୍କ ଅଧ୍ୟକ୍ଷତାରେ ୩ଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଚାଲିବ। ଆସନ୍ତା ୨୫ ତାରିଖରୁ ଗଣତିମଣତି ଆରମ୍ଭ ହେବା ସମୟରେ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ବିଶେଷ ପର୍ବପର୍ବାଣି ସମୟରେ ଏହି ପ୍ରକ୍ରିୟା ବନ୍ଦ ରହିବ। ସେହିପରି ୧୯୭୮ ମସିହାର ରିପୋର୍ଟ ସହ ବର୍ତ୍ତମାନ ଅଳଙ୍କାର ମେଳକ କରାଯିବ, ଯାହା ଦ୍ୱାରା ରତ୍ନଭଣ୍ଡାରର ସଠିକ୍ ତଥ୍ୟ ଅନୁଧ୍ୟାନ କରାଯିବ।