ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି । ଅରୁଣାଚଳ ପ୍ରଦେଶରୁ ବିରଳ ଗିବନ ମାଙ୍କଡ ଓ ଚିତା ବିରାଡିକୁ ନନ୍ଦନକାନନ ଅଣାଯାଇଛି । ଏମାନଙ୍କୁ ବାଘ ସୋହିନୀ ଓ ରକି ପ୍ରତି ବଦଳରେ ଅଣାଯାଇଥିବା କୁହାଯାଉଛି । ହୁଲକ ଗିବନ ଓ ଚିତା ବିରାଡିଙ୍କୁ ଆଣିବା ପାଇଁ ଗତ ୧୪ ତାରିଖରେ ନନ୍ଦନକାନନର ଏସିଏଫ ରଶ୍ମି ରଞ୍ଜନ ସ୍ୱାଇଁଙ୍କ ତତ୍ୱାବଧାନରେ ୬ଜଣିଆ କର୍ମଚାରୀ ଦଳ ଇଟ୍ଟର ଗସ୍ତ କରିଥିଲେ । ୪ଟି ପୃଥ ପେଟିରେ ୪ଟି ଜୀବଙ୍କୁ ଅଣାଯାଇ ନନ୍ଦନକାନନରେ ଛଡ଼ାଯାଇଛି । ଦୁଇ ଗିବନଙ୍କ ମଧ୍ୟରୁ ଅଣ୍ଡିରା ଗିବନ୍ ମାଙ୍କଡର ବୟସ ୧୦ ବର୍ଷ ୩ ମାସ ହୋଇଥିବା ବେଳେ ମାଈ ଗିବନ୍ ମାଙ୍କଡ ରୋଜାର ବୟସ ୫ବର୍ଷ ୮ମାସ। ସେପଟେ ଦୀର୍ଘଦିନର ସଡ଼କ ଯାତ୍ରା ପରେ ଗିବନ ମାଙ୍କଡ଼ ଓ ଚିତା ବିରାଡ଼ି ଥକି ପଡ଼ିଥିବାରୁ ସେମାନଙ୍କୁ ଏକ ସ୍ପେଶାଲ୍ ଏନକ୍ଲୋଜରରେ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି। ନନ୍ଦନକାନନକୁ ନୂଆକରି ଆସିଥିବା ବିଲୁପ୍ତ ପ୍ରାୟ ବିରଳ ପ୍ରଜାତିର ପ୍ରାଣୀ ହୁଲକ୍ ଗିବନ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଅଧକାରୀ ସୂଚନା ଦେଇଛନ୍ତି।