ବିରଳ ଖଗୋଳ ଘଟଣା: ଏକକାଳୀନ ଆକାଶରେ ଗୋଟିଏ ଧାଡିରେ ଦେଖାଯିବେ ୬ଟି ଗ୍ରହ

ଭୁବନେଶ୍ୱର: ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ୨୦୨୬ ମସିହା ଏକ ଖାସ ବର୍ଷ ହେବାକୁ ଯାଉଛି। ବର୍ଷ ସାରା ଅନେକ ପ୍ରମୁଖ ଗ୍ରହ ନିଜ ଚାଲ ବଦଳେଇବାକୁ ଥିବା ବେଳେ, ଏଥିରେ କିଛି ଦୁର୍ଲଭ ଓ ବିରଳ ଖଗୋଳିୟ ସଂଯୋଗ ମଧ୍ୟ ସୃଷ୍ଟି ହେବ। ସେଥିମଧ୍ୟରୁ ସବୁଠୁ ଆକର୍ଷଣୀୟ ଘଟଣା ୨୮ ଫେବୃଆରୀ ୨୦୨୬ ସନ୍ଧ୍ୟାରେ ଦେଖିବାକୁ ମିଳିବ। ଏହି ଦିନ ସୂର୍ଯ୍ୟାସ୍ତର ପ୍ରାୟ ୩୦ ମିନିଟ୍ ପରେ ପଶ୍ଚିମ ଦିଗବଳୟରେ ଏକକାଳୀନ ୬ଟି ଗ୍ରହ—ବୁଧ, ଶୁକ୍ର, ଶନି, ବୃହସ୍ପତି, ୟୁରାନ୍ସ ଓ ନେପଚୁନ—ଗୋଟିଏ ଧାଡିରେ ଦେଖାଯିବେ। ଏହି ବିରଳ ଦୃଶ୍ୟକୁ Planetary Alignment ବୋଲି କୁହାଯାଏ।

ଏହି ଗ୍ରହମାନଙ୍କ ମଧ୍ୟରୁ ଶୁକ୍ର ଗ୍ରହ ସବୁଠୁ ଅଧିକ ଉଜ୍ୱଳ ଭାବେ ଦେଖାଯିବେ, ଯେଉଁଥିପାଇଁ ତାଙ୍କୁ “ସନ୍ଧ୍ୟା ତାରା” ମଧ୍ୟ କୁହାଯାଏ। ବୃହସ୍ପତି ଟିକେ ଉଚ୍ଚାରେ ଓ ତେଜସ୍ୱୀ ଭାବେ ଦେଖାଯିବେ। ବୁଧ ଓ ଶନି ମଧ୍ୟ ଖାଲି ଆଖିରେ ଦେଖାଯିବେ, କିନ୍ତୁ ୟୁରାନ୍ସ ଓ ନେପଚୁନକୁ ଦେଖିବା ପାଇଁ ଦୂରବିକ୍ଷଣ (ଟେଲିସ୍କୋପ୍) ଆବଶ୍ୟକ ହେବ। ନାସା ଓ ଖଗୋଳ ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ବିରଳ ପ୍ଲାନେଟରୀ ଆଲାଇନମେଣ୍ଟ ଫେବୃଆରୀ ମାସ ଶେଷ ଦିନରୁ ମାର୍ଚ୍ଚ ଆରମ୍ଭ ପର୍ଯ୍ୟନ୍ତ ଦେଖାଯିବ। ତେବେ ୨୮ ଫେବୃଆରୀ ସନ୍ଧ୍ୟାରେ ଏହା ସବୁଠୁ ସ୍ପଷ୍ଟ ଭାବେ ଦେଖାଯିବ। ଏହି ଦୃଶ୍ୟ ସାରା ଭାରତରେ ଖାଲି ଆଖୀରେ ଦେଖିହେବ ।

ଏହି ସମୟରେ ଚନ୍ଦ୍ର ପୂର୍ଣ୍ଣିମାର ପାଖାପାଖି ଥିବାରୁ ବୃହସ୍ପତିଙ୍କ ନିକଟରେ ଚନ୍ଦ୍ର ଦେଖାଯିବ। ଚନ୍ଦ୍ରଙ୍କ ତୀବ୍ର ଆଲୋକ ହେତୁ ୟୁରାନ୍ସ ଓ ନେପଚୁନ ଫିକା ଦେଖାଯିବେ। ଏହା ବାସ୍ତବରେ ଏକ ଅପ୍ଟିକାଲ ଇଲ୍ୟୁଜନ, କାରଣ ଗ୍ରହମାନେ ସତ୍ୟରେ ସିଧା ଲାଇନରେ ନଥାଇ ନିଜ ନିଜ କକ୍ଷପଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥାନ୍ତି। ଖଗୋଳିୟ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ୨୮ ଫେବୃଆରୀ ୨୦୨୬ ଏକ ଐତିହାସିକ ସୁଯୋଗ ହେବ, କାରଣ ଏପରି ନୈସର୍ଗିକ ଦୃଶ୍ୟ ଖୁବ୍ କ୍ୱଚିତ ଦେଖିବାକୁ ମିଳେ।