ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଭୂବନେଶ୍ୱର: ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ବନ୍ଯଜନ୍ତୁ ଆଇନ ଉଲ୍ଲଂଘନ କରି ମୟୂର ରଖିଥିବାରୁ ତାଙ୍କ ନାଁରେ ଏକ ମାମଲା ମଧ୍ଯ ରୁଜୁ କରାଯାଇଛି। ଘର ଫାର୍ମ ହାଉସରୁ ୪ଟି ମୟୂର ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବନ ବିଭାଗ ହାତରେ ହସ୍ତାନ୍ତର କରାଯାଇଛି। ତେବେ ତାଙ୍କର ଭୁବନେଶ୍ଵରରେ ଏକ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ, ଭୁବନେଶ୍ଵର ଓ ଢେଙ୍କାନାଳରେ ୮ଟି ପ୍ଲଟ, ଗୋଟିଏ ଫାର୍ମ ହାଉସ, ସେହି ଫାର୍ମ ହାଉସରେ ୨ କୋଟିର ଘର ନିର୍ମାଣ ହୋଇଛି। ଏହା ସହିତ ୧ କୋଟି ଟଙ୍କାର ଜମା, ନଗଦ ୫ ଲକ୍ଷ ଟଙ୍କା, ସୁନା ଅଧ କେଜିରୁ ଅଧିକ, ଦୁଇଟି ଚାରି ଚକିଆ ଗାଡ଼ି ବି ଜବତ ହୋଇଛି। ଗତକାଲି ଏକା ସାଙ୍ଗରେ ୮ଟି ଜାଗାରେ ଭିଜିଲାନ୍ସ ରେଡ୍ କରିଥିଲା। ଢେଙ୍କାନାଳ, ଭୁବନେଶ୍ଵର, ଆଠଗଡ଼, ବୀରକିଶୋରପୁରରେ ଚଢ଼ାଉ ହୋଇଥିଲା। ପାଇଖାନା ଫ୍ଲସରୁ ବିଡ଼ା ବିଡ଼ା ନୋଟ୍ ମିଳିଥିଲା। ଏହା ସହିତ ଭୁବନେଶ୍ଵର ଫ୍ଲାଟରୁ ଅନେକ ଦାମୀ ହାତଘଣ୍ଟା ମିଳିଥିଲା। ସବୁଠୁ ଦେଖିବା ଭଳି ହୋଇଛି ତାଙ୍କର ବିରାଟ  ଫାର୍ମ ହାଉସ।  ବେଆଇନ ଭାବେ ଏତେ ସବୁ ସଂପତ୍ତି ସେ ହାତେଇଥିବା ଅଭିଯୋଗରେ ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।