ନୂଆଦିଲ୍ଲୀ: ବଲିଉଡ୍ର ପ୍ରସିଦ୍ଧ କମେଡିଆନ୍ ରାଜପାଲ ଯାଦବଙ୍କୁ ୯ କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ଜାମିନ୍ ମିଳିଛି। ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଏହି ଜାମିନ୍ ଦିଆଯାଇଛି। ୫୪ ବର୍ଷୀୟ ଅଭିନେତା ପୂର୍ବରୁ ତିହାର୍ ଜେଲରେ ରହୁଥିଲେ। କୋର୍ଟ ରାଜପାଲ ଯାଦବଙ୍କୁ ଜାମିନ୍ ପ୍ରଦାନ କରିବା ସହ ଗୋଟିଏ ମୁଖ୍ୟ ସର୍ତ୍ତ ରଖିଥିଲେ। ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଯେ, ଅଭିନେତାଙ୍କୁ ଅପରାହ୍ନ ୩ଟା ସୁଦ୍ଧା ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (DD) ଜମା କରିବାକୁ ପଡିବ। କୋର୍ଟ ସ୍ପଷ୍ଟ କରିଥିଲେ ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଶି ଜମା ହେଲେ ମାତ୍ରେ ତାଙ୍କୁ ମୁକ୍ତ କରାଯିବ। ରାଜପାଲ ଯାଦବ ସମୟ ମଧ୍ୟରେ ଏହି ରାଶି ଜମା କରିଥିବାରୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଇଛି। ବର୍ତ୍ତମାନ ସେ ଫେବୃଆରୀ ୧୯ ତାରିଖରେ ତାଙ୍କ ଭଣଜାଙ୍କ ବିବାହରେ ଯୋଗ ଦେଇପାରିବେ।
କୋର୍ଟର ଶୁଣାଣି ସମୟରେ ଅଭିନେତାଙ୍କ ଓକିଲ ଜଣାଇଥିଲେ ଯେ, ସେ ୧.୫ କୋଟି ଟଙ୍କା FDR ମାଧ୍ୟମରେ ଜମା କରିବାକୁ ଇଚ୍ଛୁକ। ଜଷ୍ଟିସ ଶର୍ମା ନିର୍ଦ୍ଦେଶ ଦେଇଥିଲେ ଯେ ରାଶି ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଦେବାକୁ ପଡିବ। ସୂଚନା ଅନୁସାରେ, ପୂର୍ବରୁ ୨.୫ କୋଟି ଟଙ୍କା ଅଭିଯୁକ୍ତମାନଙ୍କ ନାମରେ DD ଭାବେ ଜମା ହୋଇଥିଲା। ଏହାଛଡା ୭.୫ କୋଟି ଟଙ୍କା ମଧ୍ୟ ପୂର୍ବରୁ ଦେଇଦିଆଯାଇଥିବା ବେଳେ ବାକି ୧.୫ କୋଟି ଟଙ୍କା ଜମା କରିବା ପରେ ଜାମିନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଶୁଣାଣି ସମୟରେ କୋର୍ଟ ପଚାରିଥିଲେ ଯେ, ଦଣ୍ଡ ଘୋଷଣା ପରେ କାହିଁକି ଦଣ୍ଡ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଉଛି, ଯେତେବେଳେ ଅଭିଯୁକ୍ତ ପୂର୍ବରୁ ଅପରାଧ ସ୍ୱୀକାର କରିଥିଲେ। ଏହାର ଉତ୍ତରରେ ଓକିଲ କହିଥିଲେ ଯେ, ସେମାନେ ମାମଲା ସମାଧାନ ପାଇଁ ପ୍ରୟାସ କରୁଛନ୍ତି ଏବଂ ରାଜପାଲ ଯାଦବ ଫିଲ୍ମରେ ବିନିଯୋଗ ହୋଇଥିବା ୫ କୋଟି ଟଙ୍କା ଫେରତ ଦେବାକୁ ଇଚ୍ଛୁକ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ହେବ। ଏହି ମାମଲାରେ ଜାମିନ୍ ମିଳିବା ପରେ ରାଜପାଲ ଯାଦବଙ୍କ ପକ୍ଷରୁ ଆଇନି ପ୍ରକ୍ରିୟା ଜାରି ରହିବ।