ମେଲବୋର୍ଣ୍ଣ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ରୋମାଞ୍ଚକର ଚରମ ଶିଖରରେ ପହଞ୍ଚି ସାରିଛି । ପ୍ରତି ମ୍ୟାଚରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମ୍ୟାଚରେ ଆଜି ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଘମାଘୋଟ ଲଢେଇ । ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ଏହି ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଫ୍ୟାନ୍ସମାନେ ଆଶା କରିଛନ୍ତି । ଏହି ମ୍ୟାଚରେ ସଞ୍ଜୁଙ୍କ ଟିମ ପ୍ରଥମ ପର୍ଯ୍ୟାୟରେ ପାଇଥିବା ପରାଜୟର ପ୍ରତିଶୋଧ ନେବା ପାଇଁ କରିବ ଅପ୍ରାଣ ଚେଷ୍ଟା ।
ଗତ ମ୍ୟାଚରେ ସଞ୍ଜୁଙ୍କ ଶତକ ସତ୍ତେ୍ୱ ଦଳ ୪ ରନରେ ପରାଜୟର ସାମନା କରିଥିଲା । ପଞ୍ଜାବ ଦେଇଥିବା ୨୨୧ ରନ ଲକ୍ଷ୍ୟକୁ ପିଛା କରି ସଞ୍ଜୁ ୧୧୯ ରନର ସୁନ୍ଦର ପାଳି ଖେଳିଥିଲେ । କିନ୍ତୁ ଦଳ ମାତ୍ର ୪ ରନରେ ପଛରେ ପଡି ଯାଇଥିଲା । ୭ ୱିକେଟ ବିନିମୟରେ ୨୧୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ପାରିଥିଲା ରାଜସ୍ଥାନ । ଦଳରେ ସଞ୍ଜୁ ସାମସନ ଏବଂ ଲାଏମ ଲିଭିଙ୍ଗଷ୍ଟୋନଙ୍କ ସହିତ ଜୋସ ବଟଲରଙ୍କ ସ୍ଥାନରେ ଆସିଥିବା ଲୁଇସ ମଧ୍ୟ ସ୍ଥାନ ପାଇଛନ୍ତି । ସମସ୍ତ ଖେଳାଳୀ ଚମତ୍କାର ଫର୍ମରେ ରହିଥିବା ବେଳେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିବେ ଅଧିନାୟକ ।
ସେହିପରି ପଞ୍ଜାବ ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ କ୍ରିସ ଗେଲଙ୍କ ଭଳି ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ମହଜୁଦ ଅଛନ୍ତି । ତେଣୁ ଆଜି ଦୁବାଇରେ ଛକାର ବର୍ଷା ହେବ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି । ଚଳିତ ଆଇପିଏଲରେ ରାଜସ୍ଥାନ ଷଷ୍ଠ ସ୍ଥାନରେ ଥିବା ବେଳେ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗସ । ତେଣୁ ଉଭୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବେ ।